ସତ୍ୟଶିଖା (ବାଙ୍କୀ) ୨୧/୧୦/୨୦୨୦ : ବାଙ୍କୀ ଥାନା ଅନ୍ତର୍ଗତ କଳାପଥର-ବାଙ୍କୀ ମୁଖ୍ୟ ରାସ୍ତାର ବୋତଲମା ଛକ ନିକଟରେ ରାସ୍ତାରୋକ କରିଛନ୍ତି ଯୁବକ ସଂଘ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନାଯୋଗ୍ୟ ଯେ, ବାଙ୍କୀ ବ୍ଲକ ଅନୁଆରୀ ପଂଚାୟତ ଅନ୍ତର୍ଗତ ବୋତଲମା ଗ୍ରାମର ନବ ଦେହୁରୀ ନାମକ ଅସହାୟ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ବାମ ଗୋଡରେ ଆଘାତ ଲାଗିବା ଯୋଗୁଁ ଦୀର୍ଘ ଦିନ ଧରି ଏକ କୋଠରୀ ମଧ୍ୟରେ ରହି ଆସୁଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଥିଲେ ମଧ୍ୟ ଏନେଇ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବାଙ୍କୀ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଶେଷରେ ଏହି ଅସହାୟ ବ୍ୟକ୍ତିଙ୍କୁ କିଭଳି ସରକାରୀ ଚିକିତ୍ସା ମିଳିପାରିବ ସେ ନେଇ ଗ୍ରାମର କିଛି ଯୁବଗୋଷ୍ଠୀ ଏକାଠି ହୋଇ ସଂପୃକ୍ତ ବ୍ୟକ୍ତିଙ୍କୁ ରାସ୍ତାରେ ଶୁଆଇ ରାସ୍ତା ଅବରୋଧ କରିଛନ୍ତି । ଯେପର୍ଯ୍ୟନ୍ତ ପ୍ରଶାସନଏହି ଅସହାୟବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଆଗେଇ ନ ଆସିଛି ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଏପର୍ଯ୍ୟନ୍ତ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିନାହିଁ ।
ଅସହାୟ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଚିକିତ୍ସା ଦାବି
