

ସତ୍ୟଶିଖା( ଭୁବନେଶ୍ୱର )୧୦.୧୧.୨୦୨୨: ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨ଦିନିଆ ଗସ୍ତରେ ଆସି ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ନେବେ ରାଷ୍ଟ୍ରପତି।
ଏହାପରେ ରାଜଭବନକୁ ଯାଇ ସେ ମହାପ୍ରସାଦ ସେବନ କରିବେ। ପୁରୀରୁ ଅପରାହ୍ଣରେ ଭୁବନେଶ୍ୱର ଫେରି, ରାଜଧାନୀର ୮ଟି ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଦ୍ରୌପଦୀ ମୁର୍ମୁ। ରାଜଭବନରେ ତାଙ୍କର ରାତ୍ରିଯାପନ ବ୍ୟବସ୍ଥା ହୋଇଛି। ଗସ୍ତର ଦ୍ୱିତୀୟ ଦିନରେ ସ୍କୁଲ ପରିଦର୍ଶନ ପରେ ଦିନ ୧୧ଟାରେ ଶେଷ କାର୍ଯ୍ୟକ୍ରମ ରହିଛି ଜୟଦେବ ଭବନରେ। ଏହାପରେ ସେ ଦିଲ୍ଲୀ ବାହୁଡ଼ିଯିବେ।
ସେହିପରି ପୁରୀରେ ବି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁରୀରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ ଛାଉଣୀ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଯେପରି ସାଧାରଣ ଲୋକଙ୍କ ଅସୁବିଧା ହେବନି ସେ ନେଇ ନଜରରେ ରଖାଯାଇଛି।






