ଦେଶନ୍ୟୁଜ୍

ଦିଲ୍ଲୀ ବିଶ୍ବର ପ୍ରଦୂଷଣ ରାଜଧାନୀ

ସତ୍ୟଶିଖା( ନୂଆଦିଲ୍ଲୀ )୨୩.୦୩.୨୦୨୨ : ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀର ଅପବାଦ ମୁଣ୍ଡାଇଛି ଦିଲ୍ଲୀ। ୱାର୍ଲଡ ଏୟାର କ୍ୱାଲିଟି ରିପୋର୍ଟ ୨୦୨୧ ଅନୁସାରେ ବିଶ୍ବର ୧୦୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୬୩ଟି ରହିଛି ଏବଂ ଦିଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପ୍ରଦୂଷିତ ରାଜଧାନୀ ଭାବେ ମଧ୍ୟ ପ୍ରଥମ ସ୍ଥାନରେ ରହିଛି। କ୍ରମାଗତ ଦ୍ବିତୀୟ ଥର ପାଇଁ ଦିଲ୍ଲୀ ଏହି ସ୍ଥାନରେ ରହିଛି। ଦ୍ବିତୀୟ ସ୍ଥାନ ଅଧିକାର କରିଛି ପନୋଶୀ ବାଂଲାଦେଶର ରାଜଧାନୀ ଢାକା। ଆଫ୍ରିକୀୟ ରାଷ୍ଟ୍ର ଚାଦ୍‌ର ରାଜଧାନୀ ନଜାମିନା ତୃତୀୟ ଓ ତଜାକ୍‌ସ୍ତାନ ରାଜଧାନୀ ଦୁଶାଂୱେ ଚତୁର୍ଥ ସ୍ଥାନରେ ଥିବାବେଳେ ଓମାର ରାଜଧାନୀ ମକ୍ସଟ ପଞ୍ଚମରେ ରହିଛି। ବିଶ୍ବର ୫୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ୪୬ଟି କେନ୍ଦ୍ର ଓ ଦକ୍ଷିଣ ଏସୀୟ। ୨୦୨୧ରେ ଏହି ଅଞ୍ଚଳର ସବୁଠୁ ଅଧିକ ପ୍ରଦୂଷିତ ୧୫ ସହର ମଧ୍ୟରୁ ୧୨ ସହର ଭାରତର ଥିଲା। ଚଳିତ ବର୍ଷ ଏସିଆର ସର୍ବାଧିକ ପ୍ରଦୂଷିତ ୧୫ ସହର ମଧ୍ୟରେ ଭାରତର ୧୧ଟି ରହିଛି। ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ର ବିଶ୍ବରେ ଚତୁର୍ଥ ସ୍ଥାନ ଅଧିକାର କରିଥିବାବେଳେ ରାଜଧାନୀକୁ ଛାଡ଼ି ପ୍ରଦୂଷିତ ସହରାଞ୍ଚଳ ମଧ୍ୟରେ ରାଜସ୍ଥାନର ଭିୱାଣ୍ଡି ପ୍ରଥମ, ଉତ୍ତର ପ୍ରଦେଶର ଗାଜିଆବାଦ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ହରିୟାଣା ଓ ଉତ୍ତର ପ୍ରଦେଶର ଅଧିକ ସହର ଏହି ତାଲିକାଭୁକ୍ତ। ମୋଟ ୧୧୭ ଦେଶର ୬,୪୭୫ ସହରକୁ ନେଇ କରାଯାଇଥିବା ଅନୁଧ୍ୟାନ ଉପରେ ଏହି ରିପୋର୍ଟ ଅଧାରିତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାୟୁ ଗୁଣବତ୍ତା ସୂଚକାଙ୍କର ମାନଦଣ୍ଡ ପୂରଣ କରିବାରେ ସବୁ ଦେଶର ସହର ବିଫଳ ହୋଇଛନ୍ତି। ଭାରତର କୌଣସି ସହର ପ୍ରଦୂଷଣ ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ପୂରଣ କରୁନାହାନ୍ତି। ପ୍ରଦୂଷଣ ଯୋଗୁଁ ଭାରତର ବାର୍ଷିକ ୧୫୦ ବିଲିୟନ ଡଲାର ଆର୍ଥିକ କ୍ଷତି ଘଟୁଛି ଓ ସ୍ଥିତି ଏମିତି ହୋଇଛି ଯେ ପ୍ରଦୂଷଣ ପ୍ରତି ମିନିଟ୍‌ରେ ଭାରତରେ ୩ ଜଣଙ୍କର ପ୍ରାଣ ନେଉଛି। ଗତ ବର୍ଷ ତୁଳନାରେ ଦିଲ୍ଲୀ ସମେତ କଲକାତା ଓ ମୁମ୍ବଇ ଭଳି ମହାନଗରୀର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି।

Show More
Back to top button