
ସତ୍ୟଶିକ୍ଷା (ମୁମ୍ବାଇ)୨୪.୦୯.୨୦୨୦: ଡ୍ରଗ୍ସ ଚାଟ୍ରେ ବଲିଉଡ୍ ଅଭିନେତ୍ରୀ ଦୀପିକାଙ୍କ ନାଁ ସାମ୍ନାକୁ ଆସିବା ପରେ ସେ ଚୁପ୍ ଥିଲେ । ଏବେ କିନ୍ତୁ ସେ ଆଉ ଚୁପ୍ ନ ରହି ମୁହଁ ଖୋଲିଛନ୍ତି । ଦୀପିକା ପାଦୁକୋନଙ୍କ ଟିମ୍ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି )ଟିମକୁ ଅଭିନେତ୍ରୀ ତଦନ୍ତରେ ସହଯୋଗ କରିବେ। ସେ ଗୋଆ ଛାଡ଼ି ମୁମ୍ବାଇ ଅଭିମୁଖେ ବାହାରିସାରିଛନ୍ତି । ଏହା ସହ ଆସନ୍ତାକାଲି ଧାର୍ଯ୍ୟ ସମୟରେ ଦୀପିକା ଏନସିବି ଅଫିସରେ ପହଞ୍ଚିବେ । ତେବେ ଦୀପିକାଙ୍କ ତରଫରୁ ଏ କଥା ସାମ୍ନାକୁ ଆସିବା ପୂର୍ବରୁ ଗୋଆରେ ବଡ଼ ଡ୍ରାମା ଦେଖିବାକୁ ମିଳିଛି । ଏବେ ସେ ଚାର୍ଟାର୍ଡ ପ୍ଲେନରେ ନୁହେଁ ବରଂ ଗାଡ଼ିରେ ମୁମ୍ବାଇ ଆସୁଛନ୍ତି ।
ଗତକାଲି ଏନସିବି ଦୀପିକାଙ୍କ ସମେତ ୫ ଜଣ ସେଲିବ୍ରିଟିଙ୍କୁ ସମନ ପଠାଇ ଥିଲା । ଆସନ୍ତାକାଲି ଏନସିବି ଜେରାକୁ ସାମ୍ନା କରିବେ ଦୀପିକା । ସୁଟିଂ କାମରେ ଦୀପିକା ଗୋଆରେ ଥିଲେ । ଆଜି ଦିପହର ୧ଟାରେ ଗୋଆ ରିସର୍ଟରୁ ବାହାରି କ୍ୟାମେରାଠାରୁ ଲୁଚି ଲୁଚି କଳା ମର୍ସଡିଜ୍ ଗାଡ଼ିରେ ମୁମ୍ବାଇ ଅଭିମୁଖେ ବାହାରିଲେ । ତାଙ୍କ ଗାଡ଼ି ଆଗରେ ଓ ପଛରେ ଥିଲା ଦୁଇଟି ଇନୋଭା ଗାଡ଼ି । ପ୍ରଥମରୁ ଲାଗିଲା ସେ ଏୟାରପୋର୍ଟ ଅଭିମୁଖେ ଯାଉଛନ୍ତି ମାତ୍ର ଆଖି ପିଛୁଳାକେ ତାଙ୍କ ଗାଡ଼ି ବେଗ ବଢ଼ାଇ ରୁଟ୍ ବଦଳାଇ ଦେଲା ।ଦେଖୁ ଦେଖୁ ତାଙ୍କ ଗାଡ଼ି ଗୋଆ-ମୁମ୍ବାଇ ହାଇଓ୍ବେରେ ଗଲା । ଗୋଆରୁ ମୁମ୍ବାଇ ଦୂରତ୍ବ ୨୭୫ କିମି। ଏଣୁ ଏବେ ତାଙ୍କୁ ମୁମ୍ବାଇ ପହଞ୍ଚିବାକୁ ୮-୯ ଘଣ୍ଟା ଲାଗିବ । ଡ୍ରଗ୍ ଚାଟ ଜଣାପଡ଼ିବା ପରେ ଗୋଆରେ ସେ କାହା ସହ କଥା ହେଉ ନ ଥିଲେ । ରୁମ ଭିତରେ ରହି ନିଜ ଓକିଲ ଓ ପରିବାର ଲୋକଙ୍କ ସହ ଭିଡ଼ିଓ କନଫରେନ୍ସରେ କଥା ହେଉଥିଲେ । ସବୁବେଳେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଥିବା ଦୀପିକା ଡ୍ରଗ୍ସ ଚାଟ୍ ପରେ ଗୋଟିଏ ବି ଶବ୍ଦ କହି ନାହାନ୍ତି । ଏବେ ଦେଖିବାର ଅଛି ଆସନ୍ତାକାଲି ସେ ଏନସିବି ସାମ୍ନାରେ ସତ ମାନୁଛନ୍ତି ନ ଅଭିଯୋଗକୁ ଖଣ୍ଡନ କରୁଛନ୍ତି ।