ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ଜୁନ୍‌ ପ୍ରଥମ ସପ୍ତାହରେ ନିଷ୍ପତ୍ତି

ସତ୍ୟଶିଖା(ନୂଆଦିଲ୍ଲୀ) ୧୬.୦୪.୨୦୨୧: କେନ୍ଦ୍ର ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ୍‌ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖିବା ନେଇ ଘୋଷଣା କରିବା ପରେ ରାଜ୍ୟ ସରକାର ଗୁରୁବାର ରାଜ୍ୟର ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି। ଫଳରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ମେ ୧୮ରୁ ଆରମ୍ଭ ହେବାକୁ ଥିବା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଓ ମେ ୩ରୁ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷା ହେବ ନାହିଁ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କରୋନା ମହାମାରୀ ସ୍ଥିତିରେ ଉନ୍ନତି ଆସିଲେ ଜୁନ୍‌ ପ୍ରଥମ ସପ୍ତାହରେ ଏ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପରୀକ୍ଷା ସମ୍ପର୍କିତ ଏହି ପଦକ୍ଷେପ ନିଶ୍ଚିତଭାବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆଶ୍ବସ୍ତ କରିବ। ବୋର୍ଡ ପରୀକ୍ଷାକୁ ଛାତ୍ର ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ ବୋଲି ଧରାଯାଇଥାଏ; କାରଣ ସେଥିରେ ପାଇଥିବା ନମ୍ବର ପିଲାଙ୍କ କ୍ୟାରିୟର୍‌ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ତେଣୁ ଏଥର ମଧ୍ୟ ଗତଥର ପରି ଛାତ୍ରଛାତ୍ରୀ ଓ ଅଭିଭାବକ ବଡ଼ ଚିନ୍ତାରେ ରହିଥିଲେ। କରୋନା ଭୂତାଣୁର ଦ୍ବିତୀୟ ତରଙ୍ଗ ସଂକ୍ରମଣ ଦେଶର କେତେକ ରାଜ୍ୟରେ ଅନିୟନ୍ତ୍ରିତ ହୋଇପଡ଼ିଥିବାବେଳେ ଓଡ଼ିଶାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟହ ବୃଦ୍ଧି ପାଉଛି। ତେଣୁ ଗୋଟିଏ ପଟେ ମହାମାରୀ ସଂକ୍ରମଣ ଓ ଅନ୍ୟପଟେ ପରୀକ୍ଷାଜନିତ ଚାପ, ପିଲାଏ ଉଭୟ ନେଇ ସଂଘର୍ଷ କରିଥା’ନ୍ତେ। କହିବା ବାହୁଲ୍ୟ ଯେ ସେଥିରୁ ସେମାନଙ୍କୁ ମୁକ୍ତି ଦିଆଯାଇଥିବାରୁ ଏହାକୁ ସ୍ବାଗତ କରାଯିବା ଉଚିତ। ତେବେ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ କରିବାପାଇଁ ଏକ ଉପଯୁକ୍ତ ମୂଲ୍ୟାଙ୍କନ ବ୍ୟବସ୍ଥା ପ୍ରଚଳନ କରାଯିବା ଜରୁରୀ। ସିବିଏସ୍‌ଇ ମାଟ୍ରିକ୍ ପିଲାଙ୍କ ପାଇଁ ଏକ ବସ୍ତୁନିଷ୍ଠ ଅନ୍ତରୀଣ ମୂଲ୍ୟାଙ୍କନ କରାଯିବ ବୋଲି କୁହାଯାଇଛି। ଯେଉଁ ପିଲାମାନେ ଏଥିରେ ଅସନ୍ତୁଷ୍ଟ ହେବେ, ସେମାନଙ୍କୁ ମହାମାରୀ କମିଲେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି। ରାଜ୍ୟ ସ୍ତରରେ ମଧ୍ୟ ଏପରି ବିକଳ୍ପ ବ୍ୟବସ୍ଥାମାନ ଗ୍ରହଣ କରିବା ଜରୁରୀ।
ବର୍ତ୍ତମାନ ସ୍ଥିତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେବଳ ବୟସ୍କ ନୁହନ୍ତି, କିଶୋର ଓ ଶିଶୁମାନଙ୍କ ପ୍ରତି ମଧ୍ୟ ବିପଦ ରହିଛି। ବିଶେଷଜ୍ଞଙ୍କ ମତରେ ୧୫ ବର୍ଷର କିଶୋର ଓ ତା’ଠାରୁ କମ୍‌ ବୟସର ଶିଶୁମାନେ ମହାମାରୀର ଦ୍ବିତୀୟ ତରଙ୍ଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ସେମାନଙ୍କ ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖିବା ସର୍ବାଦୌ ଆବଶ୍ୟକ। ଏହା ଜରୁରୀ ଏଇଥିପାଇଁ ମଧ୍ୟ ଯେ ମେ ମାସ ଶେଷ ସୁଦ୍ଧା ସଂକ୍ରମଣ ଶୀର୍ଷକୁ ଛୁଇଁବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି। ଏପରିକି ସେହି ସମୟରେ ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷରୁ ଅଧିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପରୀକ୍ଷାସବୁ ମଧ୍ୟ ଠିକ୍‌ ସେହି ସମୟରେ ହେବାପାଇଁ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିଲା। ରାଜ୍ୟ ସରକାର ଏବେ ଏପ୍ରିଲ ୧୯ରୁ ଦଶମ ଓ ଦ୍ବାଦଶ ଶ୍ରେଣୀର ଶିକ୍ଷାଦାନ ରଖିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ଓ ସ୍କୁଲ୍‌ରେ ସମସ୍ତ ପ୍ରକାରର ଶୈକ୍ଷିକ କାର୍ଯ୍ୟକ୍ରମକୁ ରଦ୍ଦ କରିବାକୁ କୁହାଯାଇଛି। ପିଲାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେବା ଅଯଥାର୍ଥ ନୁହେଁ। ଦେଶର ଅନ୍ୟାନ୍ୟ କେତେକ ରାଜ୍ୟ ମଧ୍ୟ ସେଠାକାର ରାଜ୍ୟସ୍ତରୀୟ ବୋର୍ଡ ପରୀକ୍ଷାଗୁଡ଼ିକୁ ବାତିଲ୍‌ ବା ସ୍ଥଗିତ କରିଛନ୍ତି।

Exit mobile version