

ସତ୍ୟଶିଖା(ନୂଆଦିଲ୍ଲୀ) ୧୦.୦୫.୨୦୨୧: ଭାରତରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିବା ବେଳେ ସାମନାକୁ ଆସିଛି ଏକ ସାଂଘାତିକ ରିପୋର୍ଟ । କରୋନା ବିଶ୍ୱ ମହାମାରୀର ରୂପ ନେବାର ପ୍ରାୟ ୫ ବର୍ଷ ତଳେ ଅର୍ଥାତ୍ ୨୦୧୫ରେ ଚୀନର ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ଅଧିକାରୀ ସାର୍ସ କରୋନା ଭୂତାଣୁକୁ ନୂଆ ଯୁଗର ଜୈବିକ ଅସ୍ତ୍ର ଭାବେ ବର୍ଣ୍ଣନା କରିଛନ୍ତି । ଏଭଳି ଏକ ଡକ୍ୟୁମେଂଟ ହସ୍ତଗତ ହୋଇଥିବା ଦାବି କରିଛି ଅଷ୍ଟ୍ରେଲିଆର ଲୋକପ୍ରିୟ ଖବରକାଗଜ ‘ୱିକେଣ୍ଡ ଅଷ୍ଟ୍ରେଲିଆନ୍’ ।
ରିପୋର୍ଟ ଅନୁସାରେ, ୫ ବର୍ଷ ତଳେ କୋଭିଡ୍ ଭାଇରସକୁ ମଣିଷ ଦେହରେ ପ୍ରବେଶ କରାଇ ଯୁଦ୍ଧ ଲଢ଼ିହେବ ବୋଲି ଏକ ରିସର୍ଚ୍ଚ ପେପର୍ ଉପସ୍ଥାପନ କରିଥିଲେ ଚୀନର କିଛି ବୈଜ୍ଞାନିକ । ଏମାନଙ୍କ ମତରେ ଜୈବିକ ଅସ୍ତ୍ରରେ ତୃତୀୟ ବିଶ୍ୱଯୁଦ୍ଧ ଲଢ଼େଇ କରାଯିବ । ‘ୱିକେଣ୍ଡ ଅଷ୍ଟ୍ରେଲିଆନ୍’ କହିଛି, ଏ ନେଇ ଚୀନର ସାମରିକ ବୈଜ୍ଞାନିକମାନେ ମଧ୍ୟ ଆଲୋଚନା କରିଥିଲେ । ଚୀନର ଏହି ସିକ୍ରେଟ ଡକ୍ୟୁମେଂଟକୁ ସାଇବର ଏକ୍ସପର୍ଟମାନେ ଗବେଷଣା କରିବା ପରେ ଏହି ତଥ୍ୟ ଦେଇଛନ୍ତି । ଚୀନର ସାମରିକ ବୈଜ୍ଞାନିକମାନେ ମଧ୍ୟ ଏହାର ବ୍ୟବହାର ନେଇ ଚିନ୍ତା କରିଥିଲେ । ପ୍ରଥମେ କରୋନା ଭାଇରସକୁ ସାଂଘାତିକ ରୋଗ ସୃଷ୍ଟିକାରୀ ଭୂତାଣୁରେ ପରିଣତ କରି ଚୀନ ଛାଡିଥିଲା ବୋଲି କହିଛନ୍ତି ଅଷ୍ଟ୍ରେଲିଆର ବିଶେଷଜ୍ଞ ।