ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହେଉଛି ଦଶମୂଳ ମୋଦକ । ଏହାକୁ ସେବନ କଲାପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ।


ସତ୍ୟଶିଖା :୨୦/୦୬/୨୦୨୫:ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହେଉଛି ଦଶମୂଳ ମୋଦକ । ଏହାକୁ ସେବନ କଲାପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। ସେବକଙ୍କ ନିଷ୍ଠାପର ସେବା ଯତ୍ନରେ ଆରୋଗ୍ୟ ଲାଭ କରୁଛନ୍ତି ମହାପ୍ରଭୁ । ପଞ୍ଚମୀରେ ଫୁଲୁରୀ ତେଲ ଲାଗି ହୋଇ ଠାକୁରେ ଉପଶମ ଲଭିଲେ । ପରେ ନବମୀ ପର୍ଯ୍ୟନ୍ତ ଠାକୁରଙ୍କୁ ଓଷ ଲାଗି କରାଯାଇଥିଲା । ଆଜି ଚକା ବିଜେ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ ହୋଇଛି ।ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ କୁମ୍ଭ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ପରେ ଜ୍ବରରେ ପୀଡ଼ିତ ଚତୁର୍ଦ୍ଦାବିଗ୍ରହଙ୍କର ସୁସ୍ଥତା ପାଇଁ ଚାଲିଛି ଗୁପ୍ତ ଉପଚାର। ଆଜି ଅଣବସରର ଦଶମୀ ତିଥିରେ ଚକାବିଜେ କରିବେ ମହାବାହୁ । ଅର୍ଥାତ୍ ଜାଗ୍ରତ ଅବସ୍ଥାକୁ ଆସିବେ ଦାରୁବ୍ରହ୍ମ । ଦଇତା ପତି ଗୋଷ୍ଠୀଗତଭାବେ ଠାକୁରଙ୍କ ଏହି ସେବା କରିବେ ।
ତ୍ରୟୋଦଶ ଶତାଦ୍ଦୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା । ତେବେ ଅନବସର ଦଶମୀ ସଂନ୍ଧ୍ୟାରେ ଦଶମୂଳ ମୋଦକ ଶ୍ରୀମନ୍ଦିର ଗାରଦରେ ଦାଖଲ ହେବା ପରେ ଏକାଦଶୀ ଦିନ ଅନ୍ୟ ଭୋଗ ସହ ମହାପ୍ରଭୁଙ୍କୁ ଏହା ଲାଗି ହୁଏ । ଶ୍ରୀବିଗ୍ରହଙ୍କ ଗୁପ୍ତ ସେବାରେ ଫୁଲୁରି ତେଲ, ଦଶମୂଳ ଔଷଧ ଓ ଅନ୍ୟାନ୍ୟ ଉପଚାର ପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ଦର୍ଶନ ଦେଉଥିବାର ବିଶ୍ୱାସ ରହିଛି। ସେପଟେ ରଥଯାତ୍ରା ଆଉ ମାତ୍ର ୭ ଦିନ ଥିବାରୁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।