ସତ୍ୟଶିଖା (ଭୁବନେଶ୍ୱର) ୨୩/୦୧/୨୦୨୧ : ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଆଜି ରାଜଧାନୀରେ ରାଜ୍ୟସ୍ତରୀୟ ସାଇକ୍ଲୋଥନ୍ ଆୟୋଜିତ ହୋଇଯାଇଛି । ଚଳିତ ବର୍ଷର ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଥିମ୍ ରହିଥିଲା ‘ପେଡାଲ ଫର୍ ରୋଡ୍ ସେଫ୍ଟି’ । ଏହି ପରିପ୍ରେକ୍ଷୀରେ ସକାଳୁ ରାଜଧାନୀରେ ସାଇକ୍ଲିଷ୍ଟମାନେ ସଚେତନତାର ବାର୍ତ୍ତା ନେଇ ସହର ପରିକ୍ରମା କରିଥିଲେ । କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସଚେତନତା ଅଭାବ ଓ କିଛି ଲୋକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି । ନିରୀହ ଲୋକଙ୍କ ଜୀବନ ଯାଉଛି । ଏହାକୁ ରୋକିବା ପାଇଁ ଆଜିର ଦିନରେ ଆମେ ସଂକଳ୍ପ ନେବା ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ବରିଷ୍ଠ ଆଇପିଏସ୍ ଅଫିସର୍ ତଥା ଓଏସ୍ଆରଟିସିର ସିଏମ୍ଡି ଅରୁଣ ବୋଥ୍ରା, ଟ୍ରାଫିକ୍ ଡିସିପି ସୌମ୍ୟା ମିଶ୍ର ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ହେଲମେଟ୍ ପିନ୍ଧିବା ଓ ସିଟ୍ ବେଲ୍ଟ ବାନ୍ଧି ଗାଡ଼ି ଚଳାଇବା ନେଇ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।
ସୁଡ଼କ ସୁରକ୍ଷା ପାଇଁ ରାଜଧାନୀରେ ସାଇକ୍ଲୋଥନ
