

ସତ୍ୟଶିଖା( ଭୁବନେଶ୍ୱର )୧୦.୧୦.୨୦୨୨: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି । ଏସବୁ ଭିତରେ ଆସନ୍ତା ୨୩ ତାରିଖ ବେଳକୁ ଏକ ବାତ୍ୟା ହେବାର ସମ୍ଭାବନା ନେଇ ଆମେରିକା ପାଣିପାଗ ବିଭାଗ ଟ୍ରପିକାଲ୍ ଟିଡବିଟସ ସୂଚନା ଦେଇଛି । ଆଣ୍ଡାମାନ ପୂର୍ବ ଉପକୂଳରେ ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ଥିବାବେଳେ ଏହା ଉତ୍ତର-ଆନ୍ଧ୍ର ପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି ।
୨୧ ତାରିଖରେ ଲଘୁଚାପ ସୃଷ୍ଟି ହେବାବେଳକୁ କେନ୍ଦ୍ରସ୍ଥଳରେ ବାୟୁର ଚାପ ୧୦୦୩ ମିଲିବା ରହିଥିବ । ତେବେ ୨୩ କିମ୍ବା ୨୪ ତାରିଖ ବେଳକୁ ଏହା ୯୮୭ ମିଲିବାକୁ ଖସିଆସିବ । ବାୟୁର ଚାପ ଏଭଳି ସ୍ତରକୁ ଖସିବା ବାତ୍ୟା ଆଶଙ୍କାକୁ ଅଧିକ ଦୃଢ଼ୀଭୂତ କରୁଛି । ଏହି ବିଭାଗର ସୂଚନାନୁଯାୟୀ, ଏହି ଲଘୁଚାପର ଗତିପଥ ଉତ୍ତର-ପଶ୍ଚିମ ଦିଗକୁ ରହୁଛି । ଆଣ୍ଡମାନର ପୂର୍ବ ଉପକୂଳରୁ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଉତ୍ତର ଆନ୍ଧ୍ରପ୍ରଦେଶରେ ମାଡ଼ ହେବାର ସମ୍ଭାବନା ରହିଛି । କିନ୍ତୁ ଗତିପଥରେ ସାମାନ୍ୟ ପରିବର୍ତ୍ତନ ହେଲେ ଏହା ଓଡ଼ିଶାରେ ମାଡ଼ କରିବ । ଏବେ ସମୁଦ୍ର ଜଳପତ୍ତନର ତାପମାତ୍ରା ୨୯ରୁ ୩୦ ଡିଗ୍ରୀ ରହୁଥିବାରୁ ବାତ୍ୟା ସୃଷ୍ଟି ପାଇଁ ଏଭଳି ପାଗ ବେଶ୍ ଅନୁକୂଳ ହେବ ବୋଲି କୁହାଯାଉଛି ।