ନେତାଜୀଙ୍କ ନାଁରେ ହେବ କଟକ ବସ୍ ଟର୍ମିନାଲ

ସତ୍ୟଶିଖା ୨୩/୦୧/୨୦୨୧ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ । ନେତାଜୀଙ୍କ ଜନ୍ମସ୍ଥାନ କଟକର ଓଡିଆ ବଜାରସ୍ଥିତ ଜାନକୀନାଥ ଭବନ ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଛି । ବହୁ ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏଥିସହ ନେତାଜୀଙ୍କ ସଂଗ୍ରହାଳୟ ବୁଲି ତାଙ୍କ ଜୀବନ କାହାଣୀକୁ ମନେ ପକାଇଛନ୍ତି । ଅନ୍ୟପଟେ, ଆଜି କଟକ ଆସି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲ୍ୟାର୍ପଣ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ତେବେ ନେତାଜୀଙ୍କ ଜନ୍ମସ୍ଥାନରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ନେତାଜୀଙ୍କ ନାମରେ ଖାନନଗରଠାରେ ପ୍ରସ୍ତାବିତ ଅତ୍ୟାଧୁନିକ ବସ୍ ଟର୍ମିନାଲର ଶିଳାନ୍ୟାସ କରିବେ ।୧୧ ହଜାର ବର୍ଗମିଟରରେ ନିର୍ମିତ ଏହି ବସ୍ ଟର୍ମିନାଲରେ ୧୮୦ ବସ୍, ୨୭୫ଟି କାର ରହଣୀ ପାଇଁ ବ୍ୟବସ୍ଥା କରାଯିବ । ସେପଟେ ନେତାଜୀଙ୍କ ଜନ୍ମଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଯାଇ ସୁବାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନକୁ ଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟର୍ପଣ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଜିଠୁ ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ଦେଶବ୍ୟାପୀ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ଦୁଇ ବରପୁତ୍ରଙ୍କ ଜୟନ୍ତୀ, ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହେଉଛି । ଓଡିଆ ଭାବେ, ସଂଗ୍ରାମୀ ଜାତି ଭାବେ ନେତାଜୀ ଓ ସୁରେନ୍ଦ୍ର ସାଏ ଦେଶମାତୃକାର ସେବା ପାଇଁ, ସ୍ୱାଭିମାନ ପାଇଁ କଣ ଦାୟିତ୍ୱ ନେଇଥିଲା, ତାହା ଆଜି ଆମ ସମସ୍ତଙ୍କୁ ଆହୁରି ପ୍ରେରିତ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Exit mobile version