ସତ୍ୟଶିଖା ୧୩/୦୨/୧୦୨୧ : ଆଜିର ଡିଜିଟାଲ ଯୁଗରେ ସବୁକ୍ଷେତ୍ରରେ କାଗଜ ପରିବର୍ତ୍ତେ ଡିଜିଟାଲରେ କାର୍ଯ୍ୟ ସଂପାଦନକୁ ଗୁରୁତ୍ୱ ଦିଆଯାଉଛି । ବୀମା କ୍ଷେତ୍ରରେ ମଧ୍ୟ ସେଭଳି ଏକ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । ଡିଜିଲକର ମାଧ୍ୟମରେ ଗ୍ରାହକଙ୍କୁ ପଲିସି ଜାରି କରିବା ଲାଗି ବୀମା କମ୍ପାନିଗୁଡ଼ିକୁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ ପରାମର୍ଶ ଦେଇଛି । ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ସୂତ୍ରରୁ ଏହା ଜଣାଯାଇଛି ।
ଆଇଆରଡିଏଆଇ ପକ୍ଷରୁ କୁହାଯାଇଛି, ଦେଶର ବୀମା କ୍ଷେତ୍ରରେ ଡିଜିଲକରର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲାଗି ସବୁ ବୀମା କମ୍ପାନି ସେମାନଙ୍କ ଆଇଟି ବ୍ୟବସ୍ଥାକୁ ଡିଜିଲକର ସୁବିଧା ସହିତ ଯୋଡ଼ନ୍ତୁ । ଏହାହେଲେ ପଲିସିଧାରୀମାନେ ସେମାନଙ୍କ ବୀମା ପଲିସି ସଂକ୍ରାନ୍ତ ଦସ୍ତାବିଜକୁ ଡିଜିଲକରରେ ସଂରକ୍ଷିତ କରି ରଖିପାରିବେ । ଆଇଆରଡିଏଆଇ ପକ୍ଷରୁ ଏ ସଂକ୍ରାନ୍ତ ସର୍କୁଲାର ଚଳିତମାସ ୯ ତାରିଖରେ ଜାରି କରାଯାଇଛି ।
ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଡିଜିଲକର ପଦକ୍ଷେପ ଆରମ୍ଭ କରିଛି । ଫଳରେ କାଗଜପତ୍ର ପରିବର୍ତ୍ତେ ଇଲେକ୍ଟ୍ରୋନିକ୍ସ ରୂପରେ ତଥ୍ୟଗୁଡ଼ିକୁ ଏଥିରେ ସାଇତି ରଖାଯାଇ ପାରୁଛି । ସେହିଭଳି ଗ୍ରାହକଙ୍କୁ ତ୍ୱରିତ ସେବା ପ୍ରଦାନ ମଧ୍ୟ ଏହାଦ୍ବାରା ସମ୍ଭବ ହୋଇପାରୁଛି । ଗ୍ରାହକଙ୍କୁ ମଧ୍ୟ ଆଉ ସେମାନଙ୍କ ସାଥିରେ କାଗଜପତ୍ର ନେବାକୁ ପଡ଼ୁନାହିଁ । ବୀମା କ୍ଷେତ୍ରରେ ଡିଜିଲକରର ବ୍ୟବହାର ବୃଦ୍ଧି ପାଇଲେ ଖର୍ଚ୍ଚ ହ୍ରାସ ପାଇବ । ପଲିସି କପି ନମିଳିବା ନେଇ ଅଭିଯୋଗ ହ୍ରାସ ପାଇବ । ଏଥିସହିତ ବୀମା ସେବା କମ୍ ସମୟ ମଧ୍ୟରେ ପ୍ରଦାନ କରାଯାଇ ପାରିବ । ସେହିଭଳି ଗ୍ରାହକମାନେ ମଧ୍ୟ କମ୍ ସମୟ ମଧ୍ୟରେ ସେମାନଙ୍କ ଅଭିଯୋଗର ସମାଧାନ ପାଇପାରିବେ । ବିବାଦ ଏବଂ ଜାଲିଆତି ହ୍ରାସ ପାଇବ । ଗ୍ରାହକଙ୍କ ସହିତ ଯୋଗାଯୋଗ କରିବା ସହଜ ହେବ ବୋଲି କୁହାଯାଇଛି ।