ନବଜାତକ ସହ କ୍ରୁରତା: ଡାହାଣୀ ପିଶାଚଠୁ ଆହୁରି ଭୟଙ୍କର l

ସତ୍ୟଶିଖା (ଭୋପାଳ) ୩୦/୦୯/୨୦୨୦ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଜଣେ ନବଜାତକ ସହ ହୋଇଥିବା କ୍ରୁରତାର ବୀଭତ୍ସ ମାମଲା ସାମ୍ନାକୁ ଆସିଛି । ଦୁଇ ଦିନର ନବଜାତକ କନ୍ୟା ଶରୀରରେ ସ୍କ୍ରୁ -ଡ୍ରାଇଭରରେ ୧୦୦ରୁ ଅଧିକ ଥର ଛେଦ କରାଯାଇଛି । ଅର୍ଥାତ ହତ୍ୟାକରୀ ଏକ ମୁନିଆ ପେଚକସରେ ପିଲାଟି ଶରୀରକୁ ଅତ୍ୟନ୍ତ ବୀଭତ୍ସ ଭାବେ ଖଣ୍ଡିଆଖାବରା କରିଛି । ତା’ପରେ ଏହାକୁ ଏକ ଶଲରେ ଗୁଡ଼ାଇ ମନ୍ଦିର ପାଖରେ ଫୋପାଡି ଦେଇଛି । ତେବେ ଭୋପାଳରେ ୧୫ ଦିନ ମଧ୍ୟରେ ନବଜାତକ ସହ ହୋଇଥିବା ଏଭଳି ହତ୍ୟାର ଏହା ହେଉଛି ତୃତୀୟ ମାମଲା ।ଅଯୋଧ୍ୟା ନଗରୀ ଇଲାକାରେ ହୋଇଥିବା ଏହି ଘଟଣା ବାବଦରେ ପୋଲିସ୍ ରେଣୁ ମୁରାବ କହିଛନ୍ତି ସେପ୍ଟେମ୍ବର ୨୪ରେ ପିଲାଟିର ମୃତ ଦେହ ବାବଦରେ ସୂଚନା ମିଳିଥିଲା । ପୋଲିସ କର୍ମଚାରୀ ସେଠାରେ ପହଞ୍ଚି ପିଲାଟିକୁ ଦେଖିବା ପରେ ସେମାନଙ୍କ ଲୋମ ଟାଙ୍କୁରି ଉଠିଥିଲା । ନବଜାତକ ଶରୀରରେ ୧୦୦ରୁ ଅଧିକ  ଛେଦ ଥିଲା । ଯାହାକୁ ସ୍କ୍ରୁ ଡ୍ରାଇଭରରେ କରାଯାଇଛି ।କେହି ଜଣେ ପିଲାକୁ ମନ୍ଦିର ପାଖରେ ଫିଙ୍ଗି ଦେଇଥିବା ପୋଲିସକୁ ସୂଚନା ଦେଇଥିଲେ । ତେବେ ପୋଷ୍ଟମର୍ଟମ ପରେ ଏଭଳି ନାରକୀୟ କାଣ୍ଡର ଖୁଲାସା ହୋଇଛି । ଏବେ ସୁଦ୍ଧା ପିଲାଟି ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ । ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହା ସହ ଅଧିକ ସୂଚନା ପାଇଁ ପୋଲିସ ଆଖପାଖ ଇଲାକାର ସିସିଟିଭି ଯାଞ୍ଚ କରୁଛି ।

Exit mobile version