

ସତ୍ୟଶିଖା(ଭୁବନେଶ୍ୱର) ୨୦.୦୭.୨୦୨୧: ରାଜ୍ୟର ୬ଟି ବେଳାଭୂମିରେ ଗୋଆ ଭଳି ମଜା ମିଳିବ । ଲୋକମାନେ ସମୁଦ୍ର କୂଳରେ ଯେପରି ଅଧିକ ସମୟ ବିତାଇବେ ଏବଂ ସାଙ୍ଗସାଥୀଙ୍କ ଗହଣରେ ମସଗୁଲ ହେବେ, ସେହଭିଳି ବ୍ୟବସ୍ଥା ପର୍ଯ୍ୟଟନ ବିଭାଗ କରିବାକୁ ଯାଉଛି । ୬ଟି ବେଳାଭୂମିରେ ବାର-ରେସ୍ତୋରାଁ ଖୋଲିବାକୁ ଷ୍ଟଲ (ସ୍ୟାକ୍) ପିଛା ୨୦ ମିଟରରେ ୨୦ ମିଟରର ଜାଗା ଦିଆଯିବ । ଓଟିଡିସି ମଦ କିଣିକି ଦେବ, ଘରୋଇ ସଂସ୍ଥା ଏହାକୁ ବିକିବେ । ବର୍ଷକୁ ବର୍ଷ ଭଡ଼ା, ବାର ଲାଇସେନ୍ସ ଫି’, ପଞ୍ଜୀକରଣ ଫି’ ବାବଦକୁ ୧ଲକ୍ଷ ୯୦ହଜାର ଟଙ୍କା ନେବ । ଏହାବାଦ୍ ବେଳାଭୂମରେ ସ୍ୟାକ ପାଇଁ ୭୫ ହଜାରରୁ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ । ଏଥିପାଇଁ ପର୍ଯ୍ୟଟନ ବିଭାଗ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ୫ଟି ସ୍ୟାକ, ତଳସାରି-ଉଦୟପୁର ବେଳାଭୂମିରେ ତିନିଟି, ପାରାଦୀପ ବେଳାଭୂମିରେ ତିନିଟି, ଚାନ୍ଦିପୁରରେ ଦୁଇଟି, ପାତି ସୋନାପୁରରେ ଦୁଇଟି ଏବଂ ଗୋପାଳପୁର ବେଳାଭୂମିରେ ୫ଟି ସ୍ୟାକ କରିବାକୁ ଯୋଜନା କରିଛି ।
ଓଟିଡିସି ଏନେଇ ଟେଣ୍ଡର ଆହ୍ୱାନ କରିଥିବା ବେଳେ ଏହାର ପ୍ରି-ବିଡ୍ ବୈଠକ ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୩୦ ତାରିଖ ସୁଦ୍ଧା ଏନେଇ ଆବେଦନ କରିବାକୁ ସମୟସୀମା ଦିଆଯାଇଥିବା ବେଳେ ସେହିଦିନ ହିଁ ଏହି ଟେଣ୍ଡର ଖୋଲିବ । ଯେଉଁମାନେ ଟେଣ୍ଡର ପାଇବେ, ସେମାନଙ୍କୁ ତିନି ବର୍ଷ ପାଇଁ ଏହି ସ୍ୟାକ୍ ଆବଣ୍ଟନ ହେବ । କେଉଁ ବେଳାଭୂମିରେ କେଉଁଠି ସ୍ୟାକ ଖୋଲିବାକୁ ଜମି ଦିଆଯିବ, ସେନେଇ ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ, ପାଣିପାଗ ବିଭାଗ ମିଳିତ ଭାବେ ନିଷ୍ପତ୍ତି ନେବେ । ଯେପରି ସ୍ୟାକର ଆବର୍ଜନା ଓ ବର୍ଜ୍ୟ ସମୁଦ୍ରରେ ନ ମିଶିବ, ସେଥିପାଇଁ ପର୍ଯ୍ୟଟନ ବିଭାଗ ଏକ କ୍ଲଷ୍ଟର ନିର୍ମାଣ କରିବ । ତାହାରି ଭିତରେ ସବୁ ସ୍ୟାକ୍ ରହିବ । ଏଠାକୁ ବିଦୁ୍ୟତ, ପାଣି ଓ ସ୍ୟାକ ପର୍ଯ୍ୟଟନ ବିଭାଗ ଯୋଗାଇବ । କିନ୍ତୁ ଯେଉଁ ସଂସ୍ଥା ଟେଣ୍ଡର ପାଇବ, ସେ ପର୍ଯ୍ୟଟନ ବିଭାଗର ନିୟମାବଳୀ ଅନୁଯାୟୀ ସ୍ୟାକ ନିର୍ମାଣ କରିବ ।