

ସତ୍ୟଶିଖା ( କଟକ )୨୦/୧୦ /୨୦୨୧: କଟକରେ କମିଶନରେଟ୍ ପୋଲିସ ଜାରି ରଖିଛି ଅପରାଧ କ୍ଲିନ୍ ଅଭିଯାନ । ସେହି ଆଧାରରେ କଟକ ସହରରୁ ପୁଣି ଜବତ ହୋଇଛି ୫ଟି ବନ୍ଧୁକ ଓ ୧୨ ରାଉଣ୍ଡ ଗୁଳି । ବନ୍ଧୁକ ବିକ୍ରି କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଜଣଙ୍କ ଘର କଟକରେ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କ ଘର ଜଗସିଂହପୁରରେ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି । ତେବେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳରେ ଏହି ବନ୍ଧୁକ କାରବାର ଚାଲିଥିବା ବେଳେ ଚଢାଉ କରି ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ପୋଲିସ ।
ଗିରଫ ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ମାମଲା ରହିଥିବା ବେଳେ ଅଭିଯୁକ୍ତମାନେ କେଉଁଠାରୁ ଆଉ କିଭଳି ବନ୍ଧୁକ ଆଣିଥିଲେ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଗତ ୮ ମାସ ଭିତରେ କଟକ ସହରରୁ ୫୯ଟି ବନ୍ଧୁକ ଓ ୨୦୦ରୁ ଉର୍ଦ୍ଧ୍ବ ରାଉଣ୍ଡ ଗୁଳି ଜବତ କରି ସାରିଲାଣି । ତେବେ କଟକ ସହରରେ ଅପରାଧ ଓ ଅପରାଧୀ କ୍ଲିନ୍ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ କମିଶନର କହିଛନ୍ତି ।