ସତ୍ୟଶିଖା(ପାରଳାଖେମୁଣ୍ଡି ) ୧୮.୦୮ .୨୦୨୧: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଗୋଟିଏ ପରେ ଗୋଟିଏ ଖିଅ ବାହାର କରିବାରେ ଲାଗିଛି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତର ୪ର୍ଥ ଦିନରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଚାଲିଛି ମାରାଥନ୍ ଜେରା । କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍ ତନାଘନା କରୁଛନ୍ତି । ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ଚରିତ୍ର ସାମ୍ନାକୁ ଆସିବାରେ ଲାଗିଛନ୍ତି । ୪ର୍ଥ ଦିନର ପ୍ରଥମ ପର୍ଯ୍ୟାୟରେ ଦୁଇଜଣ ବନ କର୍ମଚାରୀଙ୍କୁ ଜେରା କରାଯାଇଛି । ଏମାନେ ହେଲେ ଡିଏଫ୍ଓ ଅଫିସ ଗେଟକିପର ସନ୍ତୋଷ କୁମାର ବିଶ୍ୱାଳ ଏବଂ ଡିଏଫ୍ଓଙ୍କ ରୋଷେୟା ଅଜୟ କୁମାର ବେହେରା । ଗେଟକିପର ସନ୍ତୋଷ କୁମାର ବିଶ୍ୱାଳ କ୍ରାଇମବ୍ରାଞ୍ଚର ଜେରା ସମୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇିଛନ୍ତି । ଘଟଣା ଦିନ ରାତି ୮ଟା ବେଳେ ଖୋଦ୍ ଜିଲ୍ଲାପାଳ ଡିଏଫ୍ଓଙ୍କ ଘରକୁ ଯାଇଥିଲେ ଏବଂ ଗୁରୁତର ଏସିଏଫଙ୍କୁ ମେଡିକାଲ୍ ନେବା ବେଳେ ବି ସେ ଉପସ୍ଥିତି ଥିଲେ ବୋଲି ସେ ବୟାନ ଦେଇଛନ୍ତି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସୌମ୍ୟଙ୍କୁ ସ୍ଥାନାନ୍ତର ବେଳେ ଉପସ୍ଥିତ ରହିଥିବା ସ୍ୱାସ୍ଥ୍ୟବିଭାଗର ଫାର୍ମାସିଷ୍ଟ ସୁରେଶ ସାହୁ, ୧୦୮ ଆମ୍ବୁଲାନ୍ସ ମ୍ୟାନେଜର ପ୍ରଦୀପ କୁମାର ରାମ, ଡ୍ରାଇଭର ଦୟାନିଧି ଶବର ଓ ଭଗବାନ ଭୂୟାଁଙ୍କୁ କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି ଠାରେ ଥିବା ସରକାରୀ ମୁଖ୍ୟ ଡାକ୍ତରଖାନା ପରିସରରେ ଜେରା କରିଛି । ଆବଶ୍ୟକ ତଥ୍ୟ ସଂଗ୍ରହ କରିଥିଲେ । ଘଟଣା ଦିନ ଜିଲ୍ଲାପାଳଙ୍କ ଉପସ୍ଥିତିକୁ ନେଇ କ୍ରାଇମବ୍ରାଞ୍ଚ ଡିଏସ୍ପି ଜ୍ଞାନରଞ୍ଜନ ମିଶ୍ରଙ୍କୁ ପଚାରିବାରୁ ଜିଲ୍ଲାପାଳଙ୍କୁ ପଚରା ଉଚରା କରାଯିବ କି ନାହିଁ ତାହା ଠିକ୍ ସମୟରେ ପ୍ରକାଶ କରାଯିବ ବୋଲି କହିଛନ୍ତି ।
ଏସିଏଫ୍ଙ୍କ ମୃତ୍ୟୁମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ : ଘଟଣା ଦିନ ଡିଏଫ୍ଓଙ୍କ କ୍ୱାର୍ଟର୍ସରେ ଥିଲେ ଜିଲ୍ଲାପାଳ
