କୋଭିଡ୍ର ଚିକିତ୍ସା କରିବ ଲାଲ୍ ପିମ୍ପୁଡ଼ି ଚଟଣି!

ସତ୍ୟଶିଖା (ନୂଆଦିଲ୍ଲୀ) ୦୨/୦୧/୨୦୨୧ : ସେଲିବ୍ରିଟି ସେଫ୍ ଗୋର୍ଡନ୍ ରାମ୍ସେଙ୍କର ଏକ ମେନୁ ‘ଲାଲ୍ ପିମ୍ପୁଡ଼ି ଚଟଣି’ ଖୁବ୍ ଶୀଘ୍ର ଆୟୁଷ ମନ୍ତ୍ରାଳୟ ଦ୍ୱାରା କରୋନା ବିରୋଧରେ ଏକ ସମ୍ଭାବ୍ୟ ଚିକିତ୍ସା ପଦ୍ଧତି ହୋଇପାରେ । କରୋନା ଚିକିତ୍ସା ପାଇଁ ଲାଲ୍ ପିମ୍ପୁଡ଼ି ଚଟଣି ବ୍ୟବହାର ଭଳି ଏକ ପ୍ରସ୍ତାବ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ଓଡ଼ିଶା ହାଇକୋର୍ଟ ଗତକାଲି ଆୟୁଷ ମନ୍ତ୍ରାଳୟ ଏବଂ ସିଏସ୍ଆଇଆର ମହାନିର୍ଦ୍ଦେଶକଙ୍କୁ କହିଥିଲେ । ତେବେ ୩ ମାସ ମଧ୍ୟରେ ଏସଂକ୍ରାନ୍ତ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି ।ଓଡ଼ିଶା ଏବଂ ଛତିଶଗଡ଼ ଭଳି ବିଭିନ୍ନ ରାଜ୍ୟର ଆଦିବାସୀ ପ୍ରବଣ ଅଞ୍ଚଳରେ ଲୋକମାନେ ସାଧାରଣ ଥଣ୍ଡା, କାଶ , ଶ୍ୱାସକ୍ରୀୟାରେ ସମସ୍ୟା କିମ୍ବା ଅନ୍ୟ କୌଣସି ରୋଗରୁ ଉପଶମ ପାଇଁ ଲାଲ୍ ପିମ୍ପୁଡ଼ି ଚଟ୍ନି ଖାଇଥାନ୍ତି କିମ୍ବା ଏହାକୁ ସୁପ୍ରେ ବ୍ୟବହାର କରିଥାନ୍ତି । ତେବେ କରୋନା ରୋକିବାପାଇଁ ଲାଲ୍ ପିମ୍ପୁଡ଼ି ଚଟ୍ଣି ବ୍ୟବହାର ସଂକ୍ରାନ୍ତ ପ୍ରସ୍ତାବ ପ୍ରଥମେ ବାରିପଦାର ଜଣେ ଇଂଜିନିୟର ଏବଂ ବିଶେଷଜ୍ଞ ନୟାଧର ପଢ଼ିଆଳ ଗତ ଜୁନ୍ରେ ଦେଇଥିଲେ । ପରେ ସେ କୋର୍ଟରେ ଏନେଇ ଏକ ପିଆଇଏଲ୍ ଦାଖଲ କରିଥିଲେ । କୋର୍ଟ ଏହି ପିଆଇଏଲ୍ ଆଧାରରେ କରୋନା ଚିକିତ୍ସା ଦିଗରେ ଲାଲ୍ ପିମ୍ପୁଡ଼ି ଚଟ୍ନି ବ୍ୟବହାର ସଂକ୍ରାନ୍ତ ନିଷ୍ପତ୍ତି ନେବାକୁ ଆୟୁଷ ମନ୍ତ୍ରୀୟାଳୟକୁ କହିଛନ୍ତି । ପଢ଼ିଆଳଙ୍କ କହିବା ଅନୁଯାୟୀ ଚଟଣିରେ ଏସିଡ୍,ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ବି ୧୨, ଜିଙ୍କ୍, ଆଇରନ୍ ରହିଛି । ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟର ଲୋକମାନେ ବିଭିନ୍ନ ରୋଗରୁ ଉପଶମ ପାଇଁ ଲାଲ୍ ପିମ୍ପୁଡ଼ି ଚଟଣି ଖାଇଥାନ୍ତି ବୋଲି ପଢ଼ିଆଳ କହିଥିଲେ ।