ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ମିଶନ ମୋଡ୍‌ରେ କୋଭିଡ ଟିକାକରଣ : ଜୁନ୍‌ ପହିଲାରୁ ‘ହର ଘର ଦସ୍ତକ-୨.୦’

କୋଭିଡ-୧୯ ଟିକାକରଣରେ ହ୍ରାସ ଯୋଗୁଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଉଦ୍‌ବେଗ

ସତ୍ୟଶିଖା( ନୂଆଦିଲ୍ଲୀ )୨୧.୦୫.୨୦୨୨ : ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରରେ କୋଭିଡ-୧୯ ଟିକାକରଣର ମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି ଏବଂ ମନ୍ତ୍ରଣାଳୟ ପକ୍ଷରୁ ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରଗୁଡ଼ିକୁ ପୁଣି ଉଲ୍ଲେଖନୀୟ ଭାବେ ଟିକାକରଣ ମାତ୍ରାକୁ ବୃଦ୍ଧି କରିବା ସହ ସଂପୂର୍ଣ୍ଣ ଟିକାକରଣର ଲକ୍ଷ୍ୟ ହାସଲ ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ କରାଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ପରାମର୍ଶ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରଙ୍କୁ ଜଣାଇ ଦିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ  ରାଜେଶ ଭୂଷଣ କହିଛନ୍ତି । ଗୁରୁବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସ୍ୱାସ୍ଥ୍ୟ ସଚିବ ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କୋଭିଡ ଟିକାକରଣ ସଂପର୍କରେ ସମୀକ୍ଷା କରିବା ଅବସରରେ ଶ୍ରୀ ଭୂଷଣ ଏହି ପରାମର୍ଶ ଦେଇଥିବା ଜଣାଯାଇଛି ।

କୋଭିଡ ଟିକାକରଣକୁ ସାରା ଦେଶରେ ମିଶନ ମୋଡ୍‌ରେ ତ୍ୱରାନ୍ୱିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି । ଏ ଦିଗରେ କୌଣସି ପ୍ରକାର କୋହଳ ମନୋଭାବ ପ୍ରଦର୍ଶନ ନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଆସନ୍ତା ଜୁନ୍‌-ଜୁଲାଇ ମାସରେ ’ହର ଘର ଦସ୍ତକ ଅଭିଯାନ-୨’କୁ ଦୁଇମାସ ଧରି ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯିବା ଲାଗି ସେମାନେ ଯୋଜନା ପ୍ରସ୍ତୁତ କରନ୍ତୁ । ଏଥିପାଇଁ ବିସ୍ତୃତ ଭାବେ ଜିଲ୍ଲା, ବ୍ଲକ୍‌ ଏବଂ ଗ୍ରାମ୍ୟସ୍ତରୀୟ ଯୋଜନାମାନ ପ୍ରସ୍ତୁତ କରାଯିବା ଉଚିତ୍‌ । ‘ହର ଘର ଦସ୍ତକ ୨.୦’ ଅଭିଯାନର ମୂଳ ଲକ୍ଷ୍ୟ ହେଲା – ଟିକାକରଣ କରାଯିବା ଏବଂ ସମସ୍ତ ଯୋଗ୍ୟ ଲୋକଙ୍କୁ ପ୍ରଥମ, ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ୍‌ ଟିକା ପ୍ରଦାନ ଘର ଘର ବୁଲି ଅଭିଯାନ ମାଧ୍ୟମରେ ସଂପାଦନ କରିବା । ବିଶେଷକରି ବୃଦ୍ଧ ବ୍ୟକ୍ତିମାନଙ୍କୁ ଘରେ ଏହି ଅଭିଯାନ ମାଧ୍ୟମରେ ଟିକାକରଣ କରାଯାଇପାରିବ । ସେହିଭଳି ସ୍କୁଲ/କଲେଜ ମାନଙ୍କରେ ଏବଂ ସ୍କୁଲରେ ପାଠ ପଢୁନଥିବା ପିଲା (ବିଶେଷକରି ୧୨-୧୮ବର୍ଷ ଆୟୁ ବର୍ଗର ଶିଶୁମାନେ), ଜେଲ୍‌, ଇଟାଭାଟି ଆଦିରେ କାମ କରୁଥିବା ପିଲାମାନଙ୍କୁ ଏହା ଦିଆଯାଇପାରିବ । ସେହିଭଳି ୬୦ବର୍ଷ ଆୟୁବର୍ଗରୁ ଅଧିକ ଲୋକମାନଙ୍କୁ ସବ୍‌ ଅପ୍ଟିମାଲ ମାତ୍ରାରେ ସାମିଲ କରାଯାଇ ହେବ । ଏହି ଟିକା ପ୍ରଦାନ କରାଗଲେ ସେମାନେ ସଂକ୍ରମଣ ବିପଦମୁକ୍ତ ହୋଇପାରିବେ । କେତେକ ରାଜ୍ୟରେ ୧୨ରୁ ୧୪ ବର୍ଷ ଆୟୁବର୍ଗର ପିଲାମାନଙ୍କୁ ଟିକାଦାନ ମାତ୍ରା ମନ୍ଥର ହୋଇଥିବା ପ୍ରସଙ୍ଗ ମଧ୍ୟ ଆଲୋଚନା କରାଯାଇଥିଲା । ତେଣୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଶ୍ରୀ ଭୂଷଣ ପରାମର୍ଶ ଦେଇଥିଲେ ଯେ ଟିକାକରଣକୁ ସକ୍ରିୟଭାବେ ମନିଟର କରିବା ଲାଗି ସେମାନେ ମାଇକ୍ରୋ ଯୋଜନା ଆଧାରରେ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ତାଲିକା ପ୍ରସ୍ତୁତ କରନ୍ତୁ । ସେହିଭଳି ୧୮ରୁ ୫୯ ବର୍ଷ ଆୟୁବର୍ଗର ଲୋକମାନେ ଯେଉଁ ବୁଷ୍ଟର ଡୋଜ ଟିକା ଘରୋଇ ହସ୍ପିଟାଲମାନଙ୍କରେ ନିୟମିତ ଭାବେ ନେଉଛନ୍ତି ତାହା ମଧ୍ୟ ରାଜ୍ୟ ପ୍ରଶାସନ ସମୀକ୍ଷା କରିବା ଉଚିତ ।

Show More
Back to top button