
ସତ୍ୟଶିଖା (ନୂଆଦିଲ୍ଲୀ) ୦୭/୦୧/୨୦୨୧ : ଭାରତରେ ଡ୍ରାଇଭିଙ୍ଗ ଲାଇସେନ୍ସ କରିବାକୁ ସରକାରୀ ଅଫିସର ଅନେକ ଚକ୍କର କାଟିବାକୁ ପଡିଥାଏ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଯାନବାହାନ ନିୟମ ୧୯୮୯ ରେ ସଂଶୋଧନ କରିଛନ୍ତି । ସଂଶୋଧନ ପରେ ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବା ସହଜ ହୋଇଯାଇଛି । ଲାଇସେନ୍ସ ପାଇଁ ବର୍ତ୍ତମାନ ପୂର୍ବ ଭଳି ସବୁ କାଗଜପତ୍ର ବା ଦସ୍ତାବିଜ ଆବଶ୍ୟକ ପଡୁନି । କେବଳ ଆଧାର କାର୍ଡ ମାଧ୍ୟମରେ ଅନଲାଇନ୍ ଡ୍ରାଇଭିଙ୍ଗ୍ ଲାଇସେନ୍ସ ହୋଇପାରିବ । ଆଧାର କାର୍ଡ ମାଧ୍ୟମରେ ଅନଲାଇନରେ ଡ୍ରାଇଭିଙ୍ଗ ଲାଇସେନ୍ସ, ଲାଇସେନ୍ସ ରିନ୍ୟୁ ବା ନବୀକରଣ, ପଞ୍ଜିକରଣ ହୋଇପାରିବ । ଆପଣ ନିଜ ଡକ୍ୟୁମେଣ୍ଟ ସରକାରୀ ୱେବ୍ ପୋର୍ଟାଲରେ ସେଭ୍ କରି ରଖିପାରିବେ ।
ଗତ ବର୍ଷ ଅକ୍ଟୋବର ମାସରେ ଲାଗୁ ହୋଇଥିବା ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ଆପଣଙ୍କୁ ନିଜ ଗାଡିରେ ଗାଡି କାଗଜପତ୍ର ଯେପରିକି ଡ୍ରାଇଭିଙ୍ଗ୍ ଲାଇସେନ୍ସ, ରେଜିଷ୍ଟ୍ରେସନ୍ ଡକ୍ୟୁମେଣ୍ଟ, ଫିଟନେସ୍ ସାର୍ଟିଫିକେଟ୍, ପରମିଟ୍ ଭଳି ନାନା ଡକ୍ୟୁମେଣ୍ଟ ରଖିବାକୁ ପଡ଼ିବନି । ଏବେ ଆପଣ ଧରାପଡ଼ିଲେ ଟ୍ରାଫିକ୍ ପୋଲିସକୁ ଡିଜିଟାଲ୍ କପି ଦେଖାଇ ପାରିବେ ।
ଗାଡି ସହ ଜଡିତ ଦସ୍ତାବିଜ୍ ଆପଣ ସରକାରୀ ପୋର୍ଟାଲରେ ସେଭ୍ କରି ରଖିପାରିବେ ଏବଂ ଏହାର ଡିଜିଟାଲ୍ କପି ଦେଖାଇ ନିଜ କାମ ମଧ୍ୟ କରାଇପାରିବେ । ନୂଆ ନିୟମ ପରେ ଗାଡି କାଗଜପତ୍ର ପାଖରେ ରଖିବା ଦରକାର ନାହିଁ । ସରକାରଙ୍କ ଅନୁଯାୟୀ, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଇ-ଚାଲାଣ ସହ ଗାଡି ସହ ଜଡିତ ତମାମ୍ କାଗଜପତ୍ର ମେଣ୍ଟେନ ରଖାଯାଇପାରିବ ।