

ସତ୍ୟଶିଖା(ପୁରୀ) ୨୨.୦୫.୨୦୨୧: ପୁରୀ ବାଲିଗୁଆଳିରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଲୋକାର୍ପିତ ହୋଇଛି। ଭିଡିଓ କନଫରେନ୍ସି ଜରିଆରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି। ଆଇଏମ୍ଏସ୍ ଏଣ୍ଡ ସମ୍ ହସ୍ପିଟାଲ ତତ୍ତ୍ଵାବଧାନରେ ଏହି କୋଭିଡ୍ ହସ୍ପିଟାଲ ଚାଲିବ। ଏଥିରେ ୨୦ଟି ଆଇସିୟୁ, ୪୦ଟି ଏଚଡିୟୁ ଓ ୯୦ଟି ଜେନେରାଲ୍ ବେଡ୍ ବ୍ୟବସ୍ଥା କରାଯାଇଛି।
ହସ୍ପିଟାଲର ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ଆଶା କରୁଛି ଜିଲ୍ଲାରେ କରୋନା ସଂକ୍ରମଣର ମୁକାବିଲା ଓ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାରେ ଏହି ହସ୍ପିଟାଲ୍ ସହାୟକ ହେବ। ଜିଲ୍ଲାର ରୋଗୀଙ୍କୁ କଟକ କିମ୍ବା ଭୁବନେଶ୍ଵର ଆସିବାକୁ ପଡିବ ନାହିଁ।
ହସ୍ପିଟାଲ୍ର ସମସ୍ତ ବେଡ୍କୁ ଅକ୍ସିଜେନ୍ ପାଇପ୍ଲାଇନ୍ ଓ ଅକ୍ସିଜେନ୍ ସହିତ ଯୋଡ଼ାଯାଇଛି। ଆଗକୁ ଦରକାର ପଡ଼ିଲେ ସଂଖ୍ୟା ଆହୁରି ବଢ଼ାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ତେବେ ଏହି ହସ୍ପିଟାଲ୍ର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡା କରୋନା ସହ ଲଢ଼ିବାକୁ ଆଗେଇ ଆସିଥିବାରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଓ ସମ୍ ହସ୍ପିଟାଲ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ଲୋକମାନଙ୍କୁ କରୋନା ଗାଇଡ୍ଲାଇନ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଏହି ଉତ୍ସବରେ ଭିଡିଓ କନଫରେନ୍ସ ମାଧ୍ୟମରେ ପୁରୀ ଜିଲ୍ଲାର ଦୁଇମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ତୁଷାରକାନ୍ତି ବେହେରାଙ୍କ ସମେତ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ଜିଲ୍ଲାପାଳ ସମର୍ଥ ବର୍ମା, ସମ୍ ହସ୍ପିଟାଲ୍ ଇନଚାର୍ଜ ପୁଷ୍ପରାଜ ସାମନ୍ତସିଂହାର ଏବଂ ସିଡିଏମ୍ଓ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ସାମିଲ ହୋଇଥିଲେ।