ନ୍ୟୁଜ୍ପର୍ଯ୍ୟଟନରାଜ୍ୟ

ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା

ସତ୍ୟଶିଖା (ଭୁବନେଶ୍ୱର) ୨୧/୦୧/୨୦୨୧ : ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ‘ବୟନିକା’ ପକ୍ଷରୁ ଆଜିଠାରୁ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଛି ‘୨୦ତମ ଜାତୀୟ ହସ୍ତତନ୍ତ ମେଳା’ । ବିଭାଗୀୟ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉଦ୍‌ଘାଟନ କରିଥିଲେ । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶୁଭା ଶର୍ମା, ବୟନଶିଳ୍ପର ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।ଏଥର ମେଳାରେ ଓଡ଼ିଶାର ୮୪ଟି ଷ୍ଟଲ୍‌ ସମେତ ଉତ୍ତରପ୍ରଦେଶ, ଜାମ୍ମୁ ଓ କଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ହରିୟାଣାର ପ୍ରାୟ ୫୦ଟି ଷ୍ଟଲ୍ ଖୋଲିଛି । ଏଥିରେ ଦେଶର କୋଣ ଅନୁକୋଣରୁ ସୂତା, ସିଲ୍‌କ, ଟସର ଓ ବିଭିନ୍ନ ଡିଜାଇନ୍‌ର ଶାଢ଼ି, ଡ୍ରେସ ମାଟେରିଆଲ, ପରଦା, କପଡ଼ା, ଲୁଙ୍ଗି, ଧୋତି, ଟାୱେଲ, ଫର୍ନିସିଂ କପଡ଼ା ଆଦି ଉପଲବ୍ଧ ହେଉଛି । ପ୍ରଦର୍ଶନୀରେ ଓଡ଼ିଶାର ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ ଓ ସେରିଫେଡ୍‌ ତଥା ଅନ୍ୟାନ୍ୟ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ଅଂଶଗ୍ରହଣ କରିଛନ୍ତି । ଏଥିରେ ଓଡ଼ିଶାର ବାନ୍ଧବସ୍ତ୍ର ପରି ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା, ଲକ୍ଷ୍ନୌର ଚିକନ୍‌କାରୀ, ଜମ୍ମୁ-କଶ୍ମୀରର ପଶ୍ମିନା ଶାଲ୍‌, ତାମିଲନାଡୁର କାଞ୍ଜିବରମ୍‌ ପାଟ ଶାଢ଼ି, ଦିଲ୍ଲୀ, ହରିୟାଣା ଓ ଉତ୍ତର ପ୍ରଦେଶର ଫର୍ନିସିଂ, ପଞ୍ଜାବର କମ୍ବଳ ଆଦି ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଯାଉଛି । ସେହିଭଳି ବୟନିକା ପକ୍ଷରୁ ଏଥର ନୂଆ କରି ଏନ୍‌ଆଇଏଫ୍‌ଟି କୋର୍ସ କରିଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ପ୍ରାୟ ୨୦୦ରୁ ଅଧିକ ଡିଜାଇନ୍‌ର ଗାଉନ୍, ସ୍କଟ୍, ଶାଢ଼ି ଓ ଅନ୍ୟାନ୍ୟ ଡ୍ରେସ୍ ମ୍ୟାଟେରିଆଲ୍ ବିକ୍ରୟ ପାଇଁ ଆସିଛି । ଉଦ୍‌ଘାଟନ ଦିନରେ ପୂରବୀ ପୂର୍ଣ୍ଣସା ମିଶ୍ରଙ୍କ ଦ୍ୱାରା ନିର୍ମିତ ହସ୍ତ କାରିଗରି ସ୍ଥାନ ପାଇଛି ।୧୭ ଫେବ୍ରୁଆରି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ପ୍ରତିଦିନ ଷ୍ଟଲ୍‌ଗୁଡ଼ିକ ୧୧ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଖୋଲିବ । ମେଳାକୁ କରୋନା ନିୟମାବଳୀ ଅନୁଯାୟୀ ପାଳନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ୨୦୨୦ରେ ଏହି ମେଳାରେ ୧୦ କୋଟି ଟଙ୍କା ବ୍ୟବସାୟ ହୋଇଥିଲା । ଚଳିତ ବର୍ଷ କରୋନା ସତ୍ତ୍ବେ ୧୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିବ ବୋଲି ହସ୍ତଶିଳ୍ପ ବିଭାଗ ଆଶା ପ୍ରକଟ କରିଛି ।

Show More
Back to top button