ଧଳା ଚାଦରରେ ଘୋଡେଇ ହୋଇଛି କେଦାରନାଥ ଧାମ

ସତ୍ୟଶିଖା (କେଦାରନାଥ) ୩/୧୧/୨୦୨୦ : ଦେଶରେ ଶୀତ ଲହରୀ ଆରମ୍ଭ ହୋଇଛି । ଧୀରେ ଧୀରେ ଥଣ୍ଡା ବଢ଼ିବାରେ ଲାଗିଛି । ଥଣ୍ଡା ବଢିବା ସହ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ଉତ୍ତରାଖଣ୍ଡରେ ବିଭିନ୍ନ ଜାଗାରେ ତୁଷାରପାତ ଆରମ୍ଭ ହୋଇଛି । ମଙ୍ଗଳବାର ସକାଳୁ କେଦାରନାଥ ଧାମରେ ତୁଷାରପାତ ହୋଇଛି । ସକାଳୁ ଲଗାତାର ତୁଷାରପାତ ଯୋଗୁଁ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ବରଫାବୃତ୍ତ ହୋଇଛି । ମନ୍ଦିର ଉପରେ ବରଫ ଆସ୍ତରଣ ଜମି ଯାଇଛି । କେଦାରନାଥ ଧାମରେ ସକାଳୁ ତୁଷାରପାତ ହେବା ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଉତ୍ସାହ କମିନାହିଁ । ଶ୍ରଦ୍ଧାଳୁ ଉତ୍ସାହର ସହ ସେଠାରେ ପହଞ୍ଚି କେଦାରନାଥ ବାବାଙ୍କ ଦର୍ଶନ କରିଛନ୍ତି ।ତୁଷାରପାତ ଯୋଗୁଁ ମନ୍ଦିର ପରିସରରେ ପାଖାପାଖି ୨ ଇଞ୍ଚର ବରଫ ଆସ୍ତରଣ ଜମିଯାଇଛି । ମନ୍ଦିର ଆଖପାଖରେ ଶ୍ରଦ୍ଧାଳୁଙ୍କ ବସିବା ପାଇଁ ରଖାଯାଇଥିବା ଚେୟାର ମଧ୍ୟ ବରଫରେ ଢାଙ୍କି ହୋଇଯାଇଛି । ତୁଷାରପାତ ଯୋଗୁଁ ମନ୍ଦିର ଆଖପାଖ ଅଞ୍ଚଳର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଛି । ଯୁଆଡେ ଦେଖିଲେ ଖାଲି ବରଫ ଆଉ ବରଫ । ଏହି ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଛି ।
ଥଣ୍ଡା ବଢିଛି କିନ୍ତୁ ବିଶ୍ୱ ପ୍ରସିଦ୍ଧ ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ କମିନାହିଁ । ଶ୍ରଦ୍ଧାଳୁ ବହୁତ ଉତ୍ସାହିତ ଅଛନ୍ତି । ମଙ୍ଗଳବାର ସକାଳୁ କେଦାରନାଥ ଧାମ ଦର୍ଶନ ପାଇଁ ପହଞ୍ଚି ଥିବା ଶ୍ରଦ୍ଧାଳୁ ତୁଷାରପାତ ସତ୍ତ୍ୱେ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଥିଲେ । ତୀର୍ଥଯାତ୍ରୀଙ୍କ ଜୋସ କମିନଥିଲା । ଯୁବକ ଓ ଶିଶୁମାନଙ୍କ ମଧ୍ୟରେ ବି ଉତ୍ସାହ ଦେଖିବାକୁ ମିଳିଛି ।