

ସତ୍ୟଶିଖା ୧୧/୦୨/୨୦୨୧ : ଧରାପଡିଲେ ହତ୍ୟା ଅଭିଯୁକ୍ତ ଦମ୍ପତି । ଭୁବନେଶ୍ୱରରୁ ଗୁପ୍ତେଶ୍ୱର ଯିବା ପାଇଁ ଗାଡି ଭଡାରେ ନେଇ ଡ୍ରାଇଭରକୁ ହତ୍ୟା କରି କାର ଲୁଟ କରିଥିବା ଲୁଟେରା ଦମ୍ପତିକୁ ଗିରଫ କରିଛି ପୁଲିସ । ରାଉରକେଲାର ଏକ ହୋଟେଲରୁ ଦୁଇ ଅଭିଯୁକ୍ତକୁ ବୋରିଗୁମା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଓ ଯୁବତୀଙ୍କ ଘର ଯାଜପୁର ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି । ତାଙ୍କ ନିକଟରୁ ଗୋଟିଏ କାର ସହ ୩ଟି ମୋବାଇଲ ଜବତ କରାଯାଇଛି । ଜାନୁୟାରୀ ୨୪ରେ ଏହି ଯୁବକ ଯୁବତୀ ଦମ୍ପତିର ପରିଚୟ ଦେଇ ଭୁବନେଶ୍ୱରରୁ ସୁଧୀର ସାହୁଙ୍କ କାର ଭଡା କରି ଗୁପ୍ତେଶ୍ୱର ବାହାରିଥିଲେ । ସୁଧୀର ଗାଡି ନେଇ ଲୁଟେରା ଦଂପତିଙ୍କ ସହ ଯାଉଥିବା ବେଳେ ଜାନୁୟାରୀ ୨୫ରାତିରୁ ତାଙ୍କ ଫୋନ ସୁଇଚ ଅଫ୍ ହୋଇଯାଇଥିଲା । ଏନେଇ ପରିବାର ଲୋକ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ଗାଡିର ଜିପିଏସ ଟ୍ରାକ କରି କୋରାପୁଟର ବୋରିଗୁମାରେ ଠାବ କରିଥିଲା ପୁଲିସ । ଏହାର ଦିନକ ପରେ ଜାନୁୟାରୀ ୨୭ରେ ବୋରିଗୁମା ଛତ୍ରଲା ନିକଟରୁ ସୁଧୀରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ହେଲେ କାର ଓ ସୁଧୀରଙ୍କ ପର୍ସ ମିଳିନଥିଲା । ସେହିପରି ଗାଡିଭଡା ନେଇଥିବା ଯୁବକ ଯୁବତୀଙ୍କର ମଧ୍ୟ କୌଣସି ପତା ମିଳିନଥିଲା । ବୋରିଗୁମ୍ମା ପୁଲିସ ଛାନଭିନ କରି ବୁଧବାର ରାଉରକେଲାରୁ ଏହି ଲୁଟ ଓ ହତ୍ୟା ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି ।