
ସତ୍ୟଶିଖା (କୋଣାର୍କ) ୨୩ /୧୨/୨୦୨୦ : ନାବାଳିକାଙ୍କୁ ଅପହରଣ କଲେ ଟ୍ୟୁସନ ସାର୍ । ପରେ ଅପହୃତା ନାବାଳିକା ହେଲେ ଦୁଷ୍କର୍ମର ଶିକାର । ଠିକ୍ ଦୁଇ ଦିନ ପରେ ଅପହୃତା ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ । ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଟ୍ୟୁସନ ସାରଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ସଂପୃକ୍ତ ଟ୍ୟୁସନ୍ ସାର୍ ଙ୍କୁ ଗିରଫ କରିଛି ପୋଲିସ ।ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଜନୈକ ବ୍ୟକ୍ତି ଜଣଙ୍କ ଦୀର୍ଘ ଦିନ ଧରି ଟ୍ୟୁସନ୍ କରୁଥିଲେ । ଅନ୍ୟ ଏକ ଗାଁର ୮ମ ଶ୍ରେଣୀରେ ପଢୁଥିବା ୧୪ ବର୍ଷର ନାବାଳିକା ତାଙ୍କ ନିକଟକୁ ଟ୍ୟୁସନ୍ ହେବା ପାଇଁ ଆସୁଥିଲେ । ଦୁଇ ଦିନ ତଳେ ଟ୍ୟୁସନ୍ ସାର୍ ନାବାଳିକା ଛାତ୍ରୀଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇବା ସହ ଏକ ଦାମୀ ଡ୍ରେସ୍ ଦେବାକୁ କହି କେଉଁଆଡେ ନେଇ ଯାଇଥିଲେ । ପରିବାରଲୋକ ସମ୍ପୃକ୍ତ ନାବାଳିକାଙ୍କୁ ଖୋଜାଖୋଜି କରି ନ ପାଇ ଶେଷରେ ଗୋପ ଥାନାରେ ଅଭିଯୋଗ କରିଥିଲେ ।
ସମ୍ପୃକ୍ତ ସାର୍ ଜଣଙ୍କ ଏହି ଛାତ୍ରୀ ଜଣଙ୍କୁ ନେଇ ଗୋପ ଥାନା ଅନ୍ତର୍ଗତ ଏକ ଗାଁରେ ରଖିଥିଲେ । ମଙ୍ଗଳବାର ସକାଳୁ ସାର୍ ଜଣଙ୍କ ଛାତ୍ରୀକୁ ନେଇ ଫେରାର ହେବା ବେଳେ ଗୋପ ଥାନା ଏସଆଇ ପ୍ରିୟା ପ୍ରଧାନ ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ଗିରଫ କରିବା ସହ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏ ସଂପର୍କରେ ଗୋପ ଥାନାରେ ଏକ ମୋକଦ୍ଦମା ୩୫୩/୨୦ରେ ରୁଜୁ ହୋଇଥିବା ବେଳେ ଟ୍ୟୁସନ୍ ସାର୍ ଙ୍କ ସହ ନାବାଳିକାଙ୍କର ଡାକ୍ତରୀ ମାଇନା କରାଯାଇଛି । ଆଜି ଦିନ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରା ଯିବ ବୋଲି ପୋଲିସ କହିଛି ।