
ସତ୍ୟଶିଖା (ଭୁବନେଶ୍ୱର) ୦୨/୦୨/୨୦୨୧ : ପୁଣି ରାଜଧାନୀରୁ ନକଲି କାରଖାନା ଠାବ ହୋଇଛି । ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନା ଠାବ ହୋଇଛି । ପୋଲିସ ଉକ୍ତ କାରଖାନାରେ ଚଢାଉ ଜାରି ରଖିଛି । ସୂଚନାଯୋଗ୍ୟ ଯେ, କିଛିଦିନ ହେବ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନା ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ସ୍ବତନ୍ତ୍ର ଟିମ୍ ନକଲି ମୃଦୁ ପାନୀୟ ପ୍ରସ୍ତୁତ ହେଉଥିବା କାରଖାନାରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି ସାମଗ୍ରୀ ଠାବ ହୋଇଛି ।ତେବେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଯେ ଏକ ଫର୍ଣ୍ଣିଚର କାରଖାନା ଭିତରେ ଏହି ନକଲି ମୃଦୁ ପାନୀୟ ପ୍ରସ୍ତୁତି କରାଯାଉଥିବା ଜଣାପଡିଛି । ପୂର୍ବରୁ ମଞ୍ଚେଶ୍ୱର ଅଞ୍ଚଳରୁ ନକଲି କାରଖାନ ଠାବ ହୋଇିଥିଲା । ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନକଲି ଖାଦ୍ୟ ସାମଗ୍ରୀ କାରଖାନାରେ ଚଢାଉ ଜାରି ରହିଛି । କଟକ, ସମ୍ବଲପୁର, ଯାଜପୁର, ଜଳେଶ୍ୱର ଆଦି ଅଞ୍ଚଳରେ ନକଲି କାରଖାନାମାନ ଠାବ ହୋଇଛି । ଏହିସବୁ କାରଖାନାରୁ ବିପୁଳ ପରିମାଣ ନକଲି ସାମଗ୍ରୀ ଜବତ ହୋଇଛି । କେଉଁଠାରେ ନକଲି ସାମଗ୍ରୀରେ କିଛି ପ୍ରତିଷ୍ଠିତ କମ୍ପାନୀର ଲୋଗୋ ମରାଯାଉଛି ତ କେଉଁଠାରେ ଖାଦ୍ୟ ସାମଗ୍ରୀରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଛୁ ।