ଅପରାଧରାଜ୍ୟ

ଝାରସୁଗୁଡ଼ା ଜିଲ୍ଲାରେ ନକଲି ନୋଟ କାରବାର : ବାମରାରେ କାରଖାନା ଠାବ

ସତ୍ୟଶିଖା (ଝାରସୁଗୁଡ଼ା) ୨୮/୧୧/୨୦୨୦ : ଝାରସୁଗୁଡ଼ା ଜିଲ୍ଲା ବନହରପାଲି ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଏହି ଥାନା ଅନ୍ତର୍ଗତ ବନ୍ଧବାହାଲଠାରେ କିଛି ନକଲି ନୋଟ ବ୍ୟବହାରକାରୀଙ୍କ ଠାରୁ ଏହାର ଖିଅ ଜଣାପଡ଼ିଥିବା ବେଳେ ପୁଲିସ ସମ୍ବଲପୁର ଜିଲ୍ଲାରୁ ଏହି କାରବାରରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ନେଇ ଆଜି ଏସପି ରାହୁଲ ପିଆର୍ ଝାରସୁଗୁଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କ ପାଖରୁ ୯୬ ହଜାର ୩ ଶହ ଟଙ୍କାର ଜାଲ ନୋଟ ଓ ପ୍ରିଣ୍ଟିଂ ମେସିନକୁ ପୁଲିସ ଜବତ କରିଛି ।

ଝାରସୁଗୁଡା ଜିଲ୍ଲା ବନହରପାଲି ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ପରେ ସମ୍ବଲପୁର ଜିଲ୍ଲା ବାମରାରେ ଠାରେ ଥିବା ଏହି ନକଲି ନୋଟ କାରଖାନାକୁ ଠାବ କରିଥିଲା । ଗୁରୁବାର ରାତି ଏହା ଉପରେ ଚଢ଼ଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ଵଲପୁର ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁରର ମହମ୍ମଦ ଇରଫାନ(୨୪), ଇସ୍ଥିଫାକ ଆନ୍ସାରୀ (୩୨), ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ଖଡ଼ମର ମହମ୍ମଦ ଅଜମଲ (୨୦) ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ ସୂଚନା ଦେଇଛନ୍ତି l

ସୂଚନା ଅନୁଯାୟୀ, ବନ୍ଧବାହାଲସ୍ଥିତ ଏକ ପେଟ୍ରୋଲ ପମ୍ପରେ ଅଜମଲ ନକଲି ନୋଟ ଦେଇ ପେଟ୍ରୋଲ ଭରୁଥିଲେ l ପମ୍ପ ମାଲିକ ନକଲି ନୋଟ ବିଷୟରେ ଜାଣିପାରି ବନହରପାଲି ପୁଲିସକୁ ଖବର ଦେଇଥିଲେ l ପୁଲିସ ଏନେଇ ତଦନ୍ତ କରି ଅଜମଲକୁ ଗିରଫ କରିଥିଲା l ତାକୁ ଅଧିକ ପଚରାଉଚୁରା କରିବା ପରେ ସମ୍ବଲପୁରର ବାମରାରେ ଏକ ନକଲି ନୋଟ କାରାଖାନା ଚାଲୁଥିବା ଖବର ପାଇଥିଲାl ତାପରେ ପୁଲିସ ବାମରାସ୍ଥିତ ନକଲି ନୋଟ କାରଖାନାରେ ଚଢ଼ଉ କରି ସେଠାରୁ ଅନ୍ୟ ୨ ଜଣ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l ଜବତ ନୋଟରେ ୯୧୮ ଟି ଶହେ ଟଙ୍କିଆ, ୯ଟି ପାଞ୍ଚ ଶହ ଟଙ୍କିଆ, ଗୋଟିଏ କଲର ପ୍ରିଣ୍ଟର ଓ ଏକ ଗ୍ଲାମର ଗାଡି ଜବତ କରାଯାଇଛି । ସାମ୍ବାଦିକ ସମ୍ମଳନୀରେ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାସ, ବରହରପାଲି ଥାନା ଆଇଆଇସି ପ୍ରଶାନ୍ତ ମେହେର ଉପସ୍ଥିତ ଥିଲେ ।

Show More
Back to top button