ସତ୍ୟଶିକ୍ଷା ୨୯.୦୯.୨୦୨୦ : ପୁଣି ଘାରିଛି ଜୀବିକା ଚିନ୍ତା । ମହାମାରୀ କରୋନା ନିଜର କାୟା ମେଲାଇ ଚାଲୁଥିବା ବେଳେ ଏବେ ୫ ମାସ ହେବ ଘରେ ବସିଛନ୍ତି ଶ୍ରମିକ । କିଭଳି ଚଳିବ ପରିବାର । ନିଜର ଏବଂ ପରିବାର ପେଟକୁ ଦାନା ଦେବାକୁ ପୁଣି ଜୀବନକୁ ବାଜି ଲଗାଉଛନ୍ତି । ଯେଉଁ କରୋନା ଭୟରେ ଘରମୁହାଁ ହୋଇଥିଲେ ଏବେ ସେହି କରୋନାକୁ ଖାତିର ନ କରି କାମ ପାଇଁ ବାହାର ରାଜ୍ୟକୁ ବାହୁଡ଼ୁଛନ୍ତି ।
କରୋନା ପାଇଁ ସାରା ଦେଶ ମାର୍ଚ୍ଚ ୨୫ ତାରିଖରେ ଲକ ଡାଉନ ହୋଇଥିଲା । ଫଳରେ କାରଖାନା ଠାରୁ ଦୋକାନ ବଜାର ସବୁଠି ତାଲା ଝୁଲିଲା । ଖାଇବାକୁ ନପାଇ ଭୋକ ଉପାସରେ ପଡ଼ି ବସ,ଟ୍ରକ,ଟ୍ରେନ ଏପରିକି ପାଦରେ ଚାଲିଚାଲି ଶ୍ରମିକ ଘର ମୁହାଁ ହେଲେ । ବାଧ୍ୟ ହୋଇ ସରକାର ବସ ଓ ଟ୍ରେନ ଯୋଗେ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିଲେ । ଏହି ତାଲିକାରେ ଜିଲ୍ଲାର ଦଶରଥପୁର,ବରୀ ଓ ବିଂଝାରପୁର ବ୍ଲକରୁ ସର୍ବାଧିକ ଶ୍ରମିକ ଘରକୁ ଫେରିଲେ । କିନ୍ତୁ ଘରେ ଘରେ ବସି ଅର୍ଥ ନଥିବାରୁ ପୁଣି ଜୀବନକୁ ପାଣି ଛଡ଼ାଇ ଦାଦନ ଖଟିବାକୁ ମନବଳାଇଛନ୍ତି ଶ୍ରମିକ । ଜୀବନ ଭୟରେ ସିନା ଘରକୁ ପଳାଇ ଆସିଥିଲେ । ଏବେ ଅନ୍ୟ ରାଜ୍ୟରୁ ମାଲିକ ପଠାଇଥିବା ବସରେ ପୁଣି ଫେରି ଯାଉଛନ୍ତି କର୍ମକ୍ଷେତ୍ରକୁ । ତେବେ କିଏ ଓ କେଉଁ କମ୍ପାନିରୁ ବସ ଆସୁଛି ତାହାରି ଉପରେ ଜିଲ୍ଲା ପ୍ରଶାସନ କୌଣସି ସୂଚନା ରଖୁନଥିବା ବେଳେ ପୂର୍ବରୁ ପ୍ରବାସୀ ଶ୍ରମିକଙ୍କ ତଥ୍ୟ ରଖି ନ ଥିବା ଶ୍ରମ ବିଭାଗ ପାଖରେ ଫେରି ଯିବାର କାରଣର କୌଣସି ସୂଚନା ନାହିଁ l