ସତ୍ୟଶିଖା ୧୨/୦୧/୨୦୨୧ : କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ ନିମନ୍ତେ ଜାନୁଆରୀ ୧୪ରେ ବିଶ୍ୱ ସ୍ଵାସ୍ଥ ସଂଗଠନ (ହୁ’) ସ୍ଵତନ୍ତ୍ର ଟିମ୍ ଚୀନ ଗସ୍ତ କରିବେ । ଏଥିପାଇଁ ଚୀନ ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି ହୁ’ର ମହାନିର୍ଦେଶକ ଟେଡ୍ରୋସ୍ ଆଧାନୋମ୍ ଘେବ୍ରେୟେସ କହିଛନ୍ତି । ପୂର୍ବରୁ ଜାନୁଆରୀ ୫ରେ ଏହି ଟିମ୍ ଭୂତାଣୁ ଉତ୍ପତ୍ତିର ତଦନ୍ତ ନିମନ୍ତେ ଚୀନ ଯାଇଥିବାବେଳେ ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନଥିଲା । ଫଳରେ ହୁ’ର ଟିମ୍ ବିମାନବନ୍ଦରରେ ଅପେକ୍ଷା କରିବା ସହ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ତଦନ୍ତ ନିମନ୍ତେ ହୁ’ ଟିମ୍ ପାଖରେ ଅନୁମତି ପତ୍ର ନଥିବା କହି ଚୀନ ସେମାନଙ୍କୁ ଫେରାଇ ଦେଇଥିଲା । ଏବେ ଚୀନ ଏହି ଟିମ୍କୁ ତଦନ୍ତ ନିମନ୍ତେ ଅନୁମତି ପ୍ରଦାନ କରିଛି । ଅନୁମତିକୁ ଟେଡ୍ରୋସ ସ୍ୱାଗତ ପୂର୍ବକ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ । କରୋନା ଭୂତାଣୁ କିପରି ଓ କେଉଁ ଠାରୁ ସୃଷ୍ଟି ହୋଇଛି ତାକୁ ଠାବ କରାଯିବା ସହ ଏହା ମନୁଷ୍ୟ ନିକଟକୁ କିପରି ବ୍ୟାପିଲା ସେଦିଗରେ ତଦନ୍ତ କରାଯିବ । ଚୀନର ଉହାନ ସହରରୁ କରୋନା ଭୂତାଣୁ ଉତ୍ପତ୍ତି ହୋଇଥିବାବେଳେ ଏଥିପାଇଁ ଚୀନକୁ ଦାୟୀ କରାଯାଇଛି । ଏପରିକି କରୋନା ଭୂତାଣୁ ପରିଚାଳନା କ୍ଷେତ୍ରରେ ହୁ’ର ତ୍ରୁଟିକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତବର୍ଷ ଏପ୍ରିଲରେ ସମାଲୋଚନା କରିଥିଲେ । ଏପରି ବିଫଳତା ପାଇଁ ହୁ’କୁ ଆମେରିକା ଏହାର ପାଣ୍ଠି ଯୋଗାଣ ବନ୍ଦ କରିଦେଇଥିଲା ।
କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ : ୧୪ରେ ଚୀନ ଗସ୍ତରେ ଯିବେ ହୁ’ ଟିମ୍
