ଦେଶ

ନିର୍ଭୟା: ଦୋଷୀଙ୍କ ରାତି ଅଧିଆ ଆବେଦନକୁ ଖାରଜ କଲେ କୋର୍ଟ, ସକାଳ ୫.୩୦ରେ ଫାଶୀ

ନୂଆଦିଲ୍ଲୀ: ଶୁକ୍ରବାର ସକାଳ ୫.୩୦ରେ ‘ନିର୍ଭୟା ଦୋଷୀ’ ଫାଶୀ ପାଇବା ନିଶ୍ଚିତ ହୋଇସାରିଛି। ଏହାର କିଛି ଘଣ୍ଟା ପୂର୍ବରୁ ହିଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୋଷୀଙ୍କ ଓକିଲ। ଫାଶୀ ଅଟକାଇବା ପାଇଁ ଦିଲ୍ଲୀର ପଟିଆଲା ହାଇକୋର୍ଟ ମନା କରିଦେବା ପରେ ଦୋଷୀଙ୍କ ଓକିଲ ଏପି ସିଂହ ନିଜ ପକ୍ଷଙ୍କୁ ବଞ୍ଚାଇବାକୁ ଶେଷ ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ଏହି ଆବେଦନରେ କୌଣସି ଗୁରୁତ୍ୱ ଏବଂ ପ୍ରାସଙ୍ଗିତା ନଥିବା ଦର୍ଶାଇ କୋର୍ଟ ଏହି ଆବେଦନ ଖାରଜ କରିଛନ୍ତି। ଏଥିସହିତ ସକାଳ ୫.୩୦ରେ ଫାଶୀ ହେବା ନିଶ୍ଚିତ ହୋଇଛି।

ଆଜି ଦିଲ୍ଲୀ ହାଇକୋର୍ଟ ଏପି ସିଂହଙ୍କୁ କହିଛନ୍ତି, “ଆପଣଙ୍କ କ୍ଲାଇଣ୍ଟଙ୍କର ଭଗବାନଙ୍କୁ ଦର୍ଶନ କରିବା ସମୟ ହେଇଗଲାଣି। ଆମେ ବର୍ତ୍ତମାନ ସେହି ସମୟରେ ଉପନୀତ ହେଇଛେ। ତେଣୁ ସମୟ ନଷ୍ଟ କରନ୍ତୁନି। ଗୁରୁତ୍ୱ ନଥିବା ପଏଣ୍ଟ ଉଠାଇଲେ ଆମେ ଆପଣଙ୍କୁ ଏମିତି ରାତି ୧୧ଟାରେ ସହାୟତା ଦେଇପାରିବୁନାହିଁ। ତୁମ ପାଖରେ ୪-୫ ଘଣ୍ଟା ବାକି ରହିଛି। ଯଦି ସେମିତି କିଛି ପଏଣ୍ଟ ଅଛି ତାହାଲେ କୁହ।” କୋର୍ଟ ଅକ୍ଷୟ ସିଂହର ସ୍ତ୍ରୀ ଦେଇଥିବା ଛାଡ଼ପତ୍ର ବାବଦରେ କହିଥିଲେ, ଏହାର ଫାଶୀ ସହିତ କିଛି ସମ୍ପର୍କ ନାହିଁ।

ଏହା ପୂର୍ବରୁ ଏପି ସିଂହ କହିଥିଲେ, ଏହି ମାମଲାରେ ଜଣେ କେବଳ ସାକ୍ଷୀ ଥିବାରୁ ତାଙ୍କୁ ବିଶ୍ୱାସ କରିହେବନି। ସେ ସାକ୍ଷାତକାର ପାଇଁ ଟଙ୍କା ନେଉଥିଲେ। ତାଙ୍କ ଉପରେ ହେବାକୁ ଥିବା ଷ୍ଟିଙ୍ଗ ଅପରେସନ୍‌ ଅଟକା ଯାଇଥିଲା। ଏପି ସିଂହ ବିଭିନ୍ନ ଫୋରମ୍‌ରେ ପଡ଼ି ରହିଥିବା ମାମଲା ବାବଦରେ କହିଥିଲେ। ଆଇସିଜେରେ ହୋଇଥିବା ମାମଲା, ଛାଡ଼ପତ୍ର ମାମଲା, ନିର୍ବାଚନ କମିଶନଙ୍କ ବିରୋଧରେ ମାମଲା (କୋଡ୍‌ ଅଫ୍‌ କଣ୍ଡକ୍ଟ ସମୟରେ ରାଜକ୍ଷମା ଆବେଦନ ଏବଂ ମନ୍ତ୍ରୀ ମନୀଷ ସିସୋଦିଆ ଏହାକୁ ଖାରଜ କରିବା) ଆଦି ପ୍ରସଙ୍ଗ ଉଠାଇଥିଲେ। ପରିକି ଏନଏଚଆରସି ନିକଟରେ ଗୋଟିଏ ପିଟିସନ ଶୁଣାଣି  ବାକି ରହିଛି।

ଆହୁରି ପଢ଼ନ୍ତୁ

ତେବେ ଏହାକୁ ନେଇ ବିଚାରପତି ଜଷ୍ଟିସ୍‌ ମନମୋହନ କହିଥିଲେ, ଏସବୁ ପ୍ରସଙ୍ଗ ସୁପ୍ରିମ୍‌କୋର୍ଟରେ ଖାରଜ ହୋଇଯାଇଛି। ଏସବୁର କିଛି ପ୍ରାସଙ୍ଗିକତା ନାହିଁ। ନିର୍ବାଚନ କମିଶନଙ୍କର କିଛି କରିବା ନାହିଁ। ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ଆମେ ବସିକି ରାୟର ରିଭ୍ୟୁ କରିପାରିବୁ ନାହିଁ।

କୋର୍ଟ ଆହୁରି ମଧ୍ୟ ପ୍ରଶ୍ନ କରିଥିଲେ, “ନାବାଳକ ବୋଲି ଯେତବେଳେ ଆବେଦନ କରାଯାଇଥିଲା କୋର୍ଟ ବିଚାରକୁ ନେଇଥିଲେ କି? ଲ’ ତାଙ୍କ ସହାୟତା କରିବ ଯଆ ଠିକ୍‌ ସମୟରେ ପଦକ୍ଷେପ ନେଇପାରୁଥିବେ। ୪ ମାର୍ଚ୍ଚ ୨୦୨୦ ପରଠାରୁ ଅଢ଼ଷଇ ବର୍ଷ ହେଲା କ’ଣ କରୁଥିଲ? ଆମକୁ ଭୁଲ୍‌ ଦେଉଛ?”

ଏହାର ଉତ୍ତରରେ ଏପି ସିଂହ କହିଥିଲେ, ଆମକୁ ୨-୩ ଦିନ ସମୟ ଦିଅ, ଆମେ କୋର୍ଟକୁ ଡକ୍ୟୁମେଣ୍ଟ ଦେବାକୁ ଚାହୁଁଛୁ। ଏହାର ଉତ୍ତରରେ କୋର୍ଟ କହିଥିଲେ, ୧୦.୪୫ ହେଲାଣି, କାଲି ସକାଳ ୫.୩୦ରେ ଫାଶୀ। ଆମକୁ ପ୍ରାସଙ୍ଗିକ କାରଣ ଦର୍ଶାଅ। ଏପି ସିଂହ କହିଥିଲେ, ଜାଣିଶୁଣି ଡେରି କରାଯାଇନି। ସେମାନଙ୍କ ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ କଥା ମଧ୍ୟ ବିଚାର କରାଯାଉ। ଏପି ସିଂହ ଆହୁରି ମଧ୍ୟ ଯୁକ୍ତି ରଖିଥିଲେ, ଜଲଦିରେ ନ୍ୟାୟ ନ୍ୟାୟ ନୁହେଁ। କୋର୍ଟ କିନ୍ତୁ ଦୋହରାଇଛନ୍ତି, ଆଜି ଅଣାଯାଇଥିବା ଯୁକ୍ତିରେ କୌଣସି ପ୍ରାସଙ୍ଗିକତା ନାହିଁ। ବହୁତ ଡେରି ହେଲାଣି, କିଛି ଆଇନଗତ ପଏଣ୍ଟ ଥିଲେ କହିବାକୁ କୋର୍ଟ କହିଛନ୍ତି।

[ad_2]
Show More
Back to top button