

ସତ୍ୟଶିଖା( ଭୁବନେଶ୍ୱର )୧୨.୦୯ . ୨୦୨୨: ଆପଣଙ୍କର ଲଗାତାର ଗଣ୍ଠି ଯନ୍ତ୍ରଣା, ମେରୁଦଣ୍ଡ ଯନ୍ତ୍ରଣା ସହ ମାଂସପେଶୀରେ ଯନ୍ତ୍ରଣା ହେଉଛି କି? ଆଉ ଆପଣ ବହୁ ଔଷଧ ଖାଇବା ପରେ ବି ଯନ୍ତ୍ରଣାରୁ ମୁକ୍ତି ପାଇପାରୁନାହାନ୍ତି କି? ଯଦି ଏଭଳି ଅବସ୍ଥା ଆପଣ ବହୁତ ଦିନ ଆଗରୁ ଭୋଗୁଛନ୍ତି ତେବେ ଏହା ଅଷ୍ଟିଓପୋରୋସିସ ହୋଇପାରେ | ଆଜି ଆମେ ଆପଣଙ୍କୁ ଅଷ୍ଟିଓପୋରୋସିସ ବାବଦରେ କହିବୁ | ଅଷ୍ଟିଓପୋରୋସିସ୍ ହେଉଛି ଏଭଳି ଏକ ଅବସ୍ଥା ଯାହାକି ଯେକୌଣସି ବୟସ ଶ୍ରେଣୀକୁ ପ୍ରଭାବିତ କରିଥାଏ କିନ୍ତୁ ବୟସ୍କ ରୋଗୀଙ୍କ କ୍ଷେତ୍ରରେ ଏହା ବେଶି ଦେଖିବାକୁ ମିଳିଥାଏ | ଏହାକୁ ନିରବ ରୋଗ କୁହାଯାଏ କାରଣ ଲକ୍ଷଣଗୁଡିକ ସହଜରେ ଚିହ୍ନଟ ହୋଇପାରିନଥାଏ | ଯେତେବେଳେ ଲକ୍ଷଣ ପ୍ରକାଶ ପାଏ ସେତେବେଳେ ବହୁତ ଡେରି ହୋଇଯାଏ। ବିଶ୍ୱରେ ଦୁଇଶହ ନିୟୁତ ଲୋକ ଏହି ରୋଗରେ ପୀଡିତ | ମହିଳା ଏବଂ ପୁରୁଷ ଅନୁପାତ ୨:୧ରେ ଏହି ରୋଗ ଦେଖିବାକୁ ମିଳୁଥିବାବେଳେ ଅସ୍ଥି ଜମା କରିବା ପାଇଁ ଦାୟୀ ଇଷ୍ଟ୍ରୋଜେନ୍ ହରମୋନ୍ କମିଯିବା ଦ୍ୱାରା ହାଡ ନଷ୍ଟ ହୋଇଯାଏ ଏବଂ ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା ବଢିଥାଏ | ତେବେ ଅଷ୍ଟିଓପୋରୋସିସ ହେବା ପଛର ଅନ୍ୟାନ୍ୟ କାରଣଗୁଡ଼ିକ ହେଉଛି ପାରିବାରିକ ଇତିହାସ, ଏଣ୍ଡୋକ୍ରାଇନ୍ ସମସ୍ୟା, ଧ୍ରୁମପାନ ଏବଂ ଷ୍ଟେରଏଡ୍ ପରି କିଛି ଔଷଧର ନିୟମିତ ସେବନ |