ସତ୍ୟଶିଖା(ଭୁବନେଶ୍ୱର ) ୧୯.୦୮ .୨୦୨୧: ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କର ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିବାବେଳେ ଆଜି ସକାଳେ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଥିବା ନେଇ ସୂଚନା ଦିଆଯାଇଛି । ତାଙ୍କ ସାନ ଭାଇ ମନୋଜ ଜେନା ସଂଗ୍ରାମଙ୍କ ପରଲୋକ ନେଇ ସୂଚନା ପ୍ରଦାନ କରିଛନ୍ତି ।
କରୋନାରେ ପୀଡ଼ିତ ହେବା ପରେ ସେ ଗୁରୁତର ହୋଇପଡ଼ିଥିଲେ । ଫଳରେ ସେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଏକମୋ ଚିକିତ୍ସା ଦିଆଯାଉଥିଲା । କିଛିଦିନ ତଳେ ସେ ସୁସ୍ଥ ହୋଇ ଆସୁଛନ୍ତି ବୋଲି ସୂଚନା ଦିଆଯାଇଥିଲା । ନିକଟରେ ତାଙ୍କର ଜନ୍ମଦିନ ପାଳନ କରାଯାଇଥିଲା । ସେତେବେଳେ ସେ ଭିିଡିଓ କଲରେ କର୍ମୀଙ୍କ ଦ୍ୱାରା ପାଳିତ ଜନ୍ମଦିନ ଉତ୍ସବ ଦେଖିଥିଲେ । ତେଣୁ ସେ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ସମସ୍ତେ ଆଶା ବାନ୍ଧିଥିଲେ ।
ଛାତ୍ର ଜୀବନରୁ ସେ ରାଜନୀତି ପ୍ରତି ଆକôୃଷ୍ଟ ହୋଇ ପଡ଼ିଥିଲେ । ତାଙ୍କ ବାପା ଜୟଦେବ ଜେନା ପୂର୍ବତନ ମନ୍ତ୍ରୀ ହୋଇଥିବାବେଳେ ଦୁଇ ଥର ପିସିସି ସଭାପତି ମଧ୍ୟ ଥିଲେ । ଜୟଦେବ ଜେନା ରାଜ୍ୟ ରାଜନୀତିର ଏକ ପ୍ରମୁଖ ଚେହେରା ହୋଇଥିବାରୁ ବାପାଙ୍କ ପଦାନୁସରଣ କରିଥିଲେ ସଂଗ୍ରାମ । ରାଜ୍ୟରେ ସେ ଥିଲେ ଆଗଧାଡ଼ିର ଯୁବନେତା । ଯୁବ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ସେ ନିଜର ସାଂଗଠନିକ ଦକ୍ଷତା ପ୍ରତିପାଦିତ କରିଥିଲେ । ମୃତୁ୍ୟବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ବୟସ ହୋଇଥିଲା ।
ଲୁଲୁ ମହାପାତ୍ରଙ୍କ ପରେ ରାଜ୍ୟରେ ସଂଗ୍ରାମ ଜେନା ହିଁ ଯୁବକମାନଙ୍କୁ ଏକତ୍ରିତ କରୁଥିଲେ । ନିର୍ବାଚନ ରାଜନୀତିରେ ସେ ସଫଳ ହୋଇନଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ତାଙ୍କର ବେଶ ପତିଆରା ରହିଥିଲା । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କର ସେ ସୁଯୋଗ୍ୟ ସନ୍ତାନ ଥିଲେ । ଆଗାମୀ ଦିନରେ ସେ ହିଁ ରାଜ୍ୟ କଂଗ୍ରେସର ନେତୃତ୍ୱ ନେବେବୋଲି ଅନେକ ଯୁବନେତା ଆଶା ବାନ୍ଧିଥିଲେ । ତାଙ୍କ ମୃତୁ୍ୟରେ କଂଗ୍ରେସ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ଠାରୁ ନେଇ ଅନେକ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି ।