ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୧/୨୦୨୦ : ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଏହି ମାରାତ୍ମକ ଭାଇରସ ଲୋକଙ୍କ ମଧ୍ୟରେ ନିରାଶା ଓ ଅବସାଦ ବୃଦ୍ଧି ପାଇଛି । ଏପରିକି ବିଭିନ୍ନ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଭୁଷୁଡି ପଡିଛି । ଏହି ଭାଇରସ ଏବେସୁଦ୍ଧା ପ୍ରାୟ ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି । କିନ୍ତୁ କରୋନା ପାଇଁ ଅବସାଦଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କ ସ୍ଥିତି କରୋନା ଆକ୍ରାନ୍ତଙ୍କଠାରୁ ଆହୁରି ସଙ୍ଗୀନ ।
ଏବେ କରୋନା ସହ ଲଢିବା ପାଇଁ ଲୋକମାନେ ଭାକସିନର ଅପେକ୍ଷାରେ ରହିଛନ୍ତି । ଅନେକ ଲୋକ ଅପେକ୍ଷା କରି କରି ହତାଶ ମଧ୍ୟ ହେଲେଣି । ଏପରି ମାହୋଲରେ କେବଳ ଗୋଟିଏ ଆଶା ଦରକାର ଯିଏ କି କରୋନା ଉପରେ ବିଜୟ ନେଇ ଉତ୍ସାହିତ କରିପାରିବ ଓ ଏକ ଆଶାର କିରଣ ହୋଇପାରିବ । ଏହି ଆଶାର କିରଣ ହେଲେ ଉଗୁରୁ ସାହିନ ଓ ଓଜଲେମ୍ ଟ୍ୟୁରେସୀ ।ମୂଳରୂପରେ ତୁର୍କୀର ଏହି ଦୁଇ ବୈଜ୍ଞାନିକ ଜର୍ମାନୀରେ ରୁହନ୍ତି । ଉଭୟେ ହେଉଛନ୍ତି ଦମ୍ପତ୍ତି । ଏହି ଦମ୍ପତ୍ତି ହିଁ ଫାଇଜର୍ କମ୍ପାନୀର କୋଭିଡ୍ ଭାକସିନକୁ ତିଆରି କରିଛନ୍ତି ।
ସାହିନଙ୍କ ପିତା କୋଲୋନର ଫୋର୍ଡ କମ୍ପାନୀରେ କାମ କରୁଥିଲେ । ସାହିନଙ୍କ ଜଣେ ବନ୍ଧୁ ମଥାୟସ କ୍ରୋମେୟର ଏକ ସାକ୍ଷାତକାରରେ କହିଥିଲେ ଯେ, ସାହିନ ହେଉଛନ୍ତି ବହୁତ ନମ୍ର । ମଥାୟସ ଏମଆଇଜିଏଜିର ବୋର୍ଡ ମେମ୍ବର ରହିଛନ୍ତି । ଏହା କ୍ୟାପିଟାଲ ଫାର୍ମ ବାୟୋଏନଟେକଙ୍କୁ ଫଣ୍ଡିଂ କରିଥାଏ । ସାହିନ ସାଧାରଣତଃ ବୈଠକରେ ଜିନ୍ସ, ସାଇକେଲ୍, ହେଲମେଟ୍ ଓ ବ୍ୟାଗପ୍ୟାକ୍ ସହ ଆସନ୍ତି ବୋଲି ମଥାୟସ କହିଛନ୍ତି ।
ସାହିନ ନିଜ କ୍ୟାରିଅରର ଆରମ୍ଭରେ ଡାକ୍ତର ହେବାକୁ ଚାହୁଁଥିଲେ । ଗ୍ରାଜୁଏସନ୍ ପରେ ସେ କୋଲୋନ ଓ ବାମବର୍ଗର ମେଡିକାଲ ଇନଷ୍ଟିଚ୍ୟୁଟରେ କାମ କରିଥିଲେ । ସେଠାରେ ସେ ଓଜଲେମଙ୍କୁ ଭେଟିଥିଲେ । ଓଜଲେମଙ୍କ ପିତା ତୁର୍କୀରେ ଡାକ୍ତର ଥିଲେ । ପରେ ଉଭୟ ଜର୍ମାନୀ ଚାଲି ଆସିଥିଲେ ।