ଧର୍ମ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ପୁଣି ଦ୍ୱନ୍ଦ

ସତ୍ୟଶିଖା(ଭୁବନେଶ୍ୱର ) ୨୬.୦୮ .୨୦୨୧:  ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ପୁଣି ଦ୍ୱନ୍ଦ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ 17 ଜଣିଆ କମିଟି ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବା ପରେ ରତ୍ନଭଣ୍ଡାର ରେଜିଷ୍ଟରରେ ଉଲ୍ଲେଖ ହୋଇଥିଲା ସମସ୍ତ ତଥ୍ୟ । 2018 ଏପ୍ରିଲ 4ରେ 17 ଜଣିଆ କମିଟିର ସଦସ୍ୟମାନେ ଭିତର ରତ୍ନଭଣ୍ଡାରର ତାଲା ଖୋଲିବାକୁ ଆବଶ୍ୟକତା ମନେ ନକରି ଜାଲି ଦ୍ୱାର ନିକଟରେ ଠିଆ ହୋଇ ସର୍ଚ୍ଚ ଲାଇଟ୍ ମାଧ୍ୟମରେ ଭିତର ରତ୍ନଭଣ୍ଡାରର ସ୍ଥିତି ଦେଖିଥିଲେ ।

କିନ୍ତୁ ସେଦିନର ଚାବି ହଜିବା ଘଟଣା କୌଣସି ମତେ ରତ୍ନଭଣ୍ଡାର ରେଜିଷ୍ଟରରେ ଉଲ୍ଲେଖ ହୋଇନଥିବା ଏବେ ମିଳିଥିବା ଆରଟିଆଇ ତଥ୍ୟରୁ ପ୍ରମାଣିତ ହେଉଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ପ୍ରମାଣ କରୁଛି,  ଚାବି ହଜିବା କଥା ସମ୍ପୂର୍ଣ୍ଣ ମନଗଡା ଥିଲା । ସେପଟେ ରତ୍ନଭଣ୍ଡାର ପ୍ରସଙ୍ଗକୁ ସମସ୍ତ ଜଗନ୍ନାଥପ୍ରେମୀ ଭକ୍ତ ଓ ପୁରୀବାସୀଙ୍କ ମନରୁ ଲିଭେଇବାକୁ ଆଳ କରି ଶ୍ରୀମନ୍ଦିର ଐତିହ୍ୟ କରିଡର୍ ଯୋଜନା କାର୍ଯ୍ୟକାରୀ ହେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଚାବି ହଜିବା ନେଇ ରଘୁବୀର ଦାସ୍ କମିଶନଙ୍କ ରିପୋର୍ଟକୁ ତିନି ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାକୁ ସାର୍ବଜନୀନ କରାଯାଇନାହିଁ । ଯାହାଫଳରେ ରତ୍ନଭଣ୍ଡାର ଭିତରେ ମହାପ୍ରଭୁଙ୍କ ଦୁର୍ଲଭ ଅଳଙ୍କାରର ସୁରକ୍ଷା ଉପରେ ବଡଧରଣର ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ପ୍ରଶ୍ନ ଉଠୁଛି ଚାବି ଆଣିବାକୁ ଟ୍ରେଜେରୀ ରୁମକୁ ଯାଇଥିଲେ କି ଅଧିକାରୀ ? ଯଦି ଚାବି ଟ୍ରେଜେରୀରୁ ନେଇକି ଯାଇଥିଲେ,  ତାହେଲେ ଭିତର ରତ୍ନଭଣ୍ଡାରର ତାଲା ଖୋଲିବାକୁ କାହିଁକି ଆବଶ୍ୟକତା ମନେ କଲେ ନାହିଁ ? ଆଉ ଯଦି ଚାବି ନେଇନଥିଲେ କିମ୍ବା ହଜି ଯାଇଥିଲା ସେକଥା କାହିଁକି ରତ୍ନଭଣ୍ଡାର ରେଜିଷ୍ଟରରେ ଉଲ୍ଲେଖ କଲେ ନାହିଁ ?

Show More
Back to top button