

ସତ୍ୟଶିଖା(ନୂଆଦିଲ୍ଲୀ ) ୨୪.୦୧.୨୦୨୨ : ଏବେ ଚିନ୍ତା ବଢାଇଛି କରୋନାର ଆଉ ଏକ ନୂଆ ତଥା ଗୁପ୍ତ ଭ୍ୟାରିଆଣ୍ଟ ବିଏ.୨ । ବ୍ରିଟେନ୍ରେ ପ୍ରଥମ କରି ଚିହ୍ନଟ ହୋଇଥିବା ଏହି ଭ୍ୟାରିଆଣ୍ଟ ଏବେ ଧିରେ ଧିରେ ସକ୍ରିୟ ହେବା ଆରମ୍ଭ କରିଛି ।
ବର୍ତ୍ତମାନ ସୁଦ୍ଧା ୪୦ ଦେଶରେ କରୋନାର ଏହି ଷ୍ଟ୍ରେନ୍ ଚିହ୍ନଟ କରାଯାଇସାରିଲାଣି ଯାହାକୁ ନେଇ ଏବେ ଏହି ଘାତକ ଭ୍ୟାରିଆଣ୍ଟ ଆଉ ଏକ ବଡ଼ ଲହରର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ତେବେ କରୋନାର ବିଏ.୧ ଭ୍ୟାରିଆଣ୍ଟ ବର୍ତ୍ତମାନ ବିଶ୍ୱରେ ଚିହ୍ନଟ ହେଉଥିବା ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ମାମଲାରେ ଚିହ୍ନଟ କରାଯାଉଥିବା ବେଳେ ବିଏ.୨କୁ ଏହାର ସବଷ୍ଟ୍ରେନ୍ ବୋଲି କୁହାଯାଉଛି ଯାହା ପାଇଁ ବିଏ.୨କୁ ସହଜରେ ଚିହ୍ନଟ କରାଯାଇପାରୁନାହିଁ ।
ଅନ୍ୟପଟେ ଏହି ଭ୍ୟାରିଆଣ୍ଟକୁ ନେଇ ସବୁଠାରୁ ଅଧିକ ଚିନ୍ତାଜନକ ତଥ୍ୟ ହେଉଛି ଯେ ଏହି ଷ୍ଟ୍ରେନ୍ ଆରଟିପିସିଆର ଟେଷ୍ଟ ଦ୍ୱାରା ମଧ୍ୟ ଚିହ୍ନଟ କରାଯାଇପାରୁନାହିଁ । ଯାହାକୁ ନେଇ ଏବେ ଚିନ୍ତା ଆହୁରି ବଢିଛି ।
ତେବେ କରୋନା ମହାମାରୀର ଏହି ଘାତକ ଭ୍ୟାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି । ଏହା ଡେଲଟା ଠାରୁ ବହୁ ମାତ୍ରାରେ ଅଧିକ ସଂକ୍ରାମକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏବେଠାରୁ ସତର୍କ କରାଇଛନ୍ତି ।