

ସତ୍ୟଶିଖା(ନୂଆଦିଲ୍ଲୀ ) ୨୭.୦୫.୨୦୨୧: କରୋନା ମହାମାରୀ ମଧ୍ୟରେ କଳା କବକ ଏବଂ ଧଳା କବକ ସଂକ୍ରମଣ ଚିନ୍ତା ବଢ଼ାଉଛି। ଦେଶର ବିଭିନ୍ନ ରାଜ୍ୟରେ କଳା କବକ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏବେ ଧଳା କବକ ସଂକ୍ରମଣ ରୋଗୀଙ୍କ ଜୀବନ ପ୍ରତି ନୂଆ ବିପଦ ସୃଷ୍ଟି କରିଛି। କଳା କବକଠାରୁ ଧଳା କବକ ସଂକ୍ରମଣ ଅଧିକ ମାରାତ୍ମକ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏପରି କି ଧଳା କବକ ଯୋଗୁ ରୋଗୀଙ୍କ ଅନ୍ତ୍ରନଳୀରେ ଛିଦ୍ର ହୋଇଉଯାଉଛି। ରାଜଧାନୀ ନୂଆଦିଲ୍ଲୀରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି।
ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲ ପକ୍ଷରୁ ଏହି ନୂଆ ମାମଲା ସମ୍ପର୍କରେ ସୂଚନା ଦିଆଯାଇଛି। ଡାକ୍ତରଖାନାରୁ ମିଳିଥିବା ସୂଚନା ଅନୁସାରେ, ଗତ ମେ ୧୩ ତାରିଖରେ ଜଣେ ୪୯ ବର୍ଷୀୟା ମହିଳାଙ୍କୁ ଡାକ୍ତରଖାନାର ଜରୁରିକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା। ମହିଳାଙ୍କ ବାନ୍ତି ହେଉଥିଲା। ସେ କର୍କଟ ରୋଗରେ ପୀଡ଼ିତ ଥିଲେ ଏବଂ କିଛି ଦିନ ପୂର୍ବେ ତାଙ୍କୁ କେମୋ ଦିଆଯାଇଥିଲା।
ଡାକ୍ତରଖାନାରେ ମହିଳାଙ୍କର ସିଟି ସ୍କାନ କରାଯିବା ପରେ ତାଙ୍କ ଅନ୍ତ୍ରନଳୀରେ ଛିଦ୍ର ହୋଇଥିବା ଜଣାପଡ଼ିଥିଲା। ଏକ ଡାକ୍ତରୀ ଟିମ୍ ୪ ଘଣ୍ଟା ଧରି ଅପରେଶନ କରି ମହିଳାଙ୍କ ଖାଦ୍ୟ ନଳୀ, ଛୋଟ ଅନ୍ତ୍ରନଳୀ ଏବଂ ବଡ଼ ଅନ୍ତ୍ରନଳୀରେ ହୋଇଥିବା ଛିଦ୍ରକୁ ବନ୍ଦ କରିଥିଲେ। ଡାକ୍ତରଖାନାର ଡା. ଅନିଲ ଅରୋରା କୁହନ୍ତି, ଅନ୍ତ୍ରନଳୀରୁ ବାହାରିଥିବା ମାଂସର ନମୁନା ସଂଗ୍ରହ କରି ବାୟୋପ୍ସି କରାଯିବା ଦ୍ବାରା ଧଳା କବକ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା।