
ସତ୍ୟଶିଖା(କଟକ) ୧୧/୧୨/୨୦୨୦ : ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ମର୍କତନଗର ସେକ୍ଟର-୬ ନମ୍ବର ଘରେ ଗୁରୁବାର କମିସନରେଟ ପୁଲିସ ପକ୍ଷରୁ ଚଢଉ କରାଯାଇଛି । ଚଢଉ ବେଳେ ତାଙ୍କ ଘରୁ ୫୦୦ରୁ ଊର୍ଦ୍ଧ୍ବ ଗୁଳି ଓ ୭ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି । ଘରର କେତେକ କାନ୍ଥ ଓ ଗାଧୁଆ ଘରର କେତେକ ସ୍ଥାନରେ ମାରଣାସ୍ତ୍ର ରହିଥିବା ନେଇ ପୁଲିସକୁ ସୂଚନା ମିଳିଛି । ତାହାକୁ ମଧ୍ୟ ଠାବ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି । ଏହି ଚଢ଼ଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିବାରୁ ମାରଣାସ୍ତ୍ର ଓ ଗୁଳି ସଂଖ୍ୟା ଢ଼େର ଅଧିକ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଧଳସାମନ୍ତ ଭ୍ରାତା ଗିରଫ ହେବା ପରେ ଉକ୍ତ ଘରେ ତାଙ୍କର ବାପା ତଥା ଅବସରପ୍ରାପ୍ତ ପୁଲିସ କର୍ମଚାରୀ ରହୁଥିବା ଜଣାପଡ଼ିଛି ।ମିଳିଥିବା ସୂଚନା ମୁତାବକ, ଚୌଦ୍ୱାର ଅଞ୍ଚଳରେ ବନ୍ଧୁକ କାରବାର ନେଇ ପୁଲିସକୁ ବହୁ ପୂର୍ବରୁ ସୁରାକ୍ ମିଳିଥିଲା । ଏହି ଘଟଣା ଉପରେ ପୁଲିସ ନଜର ରଖିଥିଲା । ଆଜି ମଧ୍ୟ ଏହି ଅଞ୍ଚଳରେ ବନ୍ଧୁକ କାରବାର ନେଇ ଦୁଇ ଅପରାଧୀ ଗୋଷ୍ଠୀଙ୍କ ନିକଟରେ ମୂଳଚାଲ ଚାଲିଥିବା ବେଳେ ଇନ୍ସପେକ୍ଟର ବିରଞ୍ଚି ନାରାୟଣ ପତି ସୂଚନା ପାଇବା ପରେ ଅନ୍ୟ କର୍ମଚାରୀଙ୍କ ସହିତ ସଦଳବଳେ ଘଟଣାସ୍ଥଳରେ ଚଢ଼ଉ କରିଥିଲେ । ସେହି ସମୟରେ ଜଣେ ଯୁବକ ବନ୍ଧୁକ କାରବାର କରୁଥିବା ସମୟରେ ପୁଲିସ ତାକୁ ଧରିବାରେ ସମର୍ଥ ହୋଇଥିଲା । ଅଭିଯୁକ୍ତକୁ ଥାନାକୁ ନେଇ ଏହି ବନ୍ଧୁକ କେଉଁଠାରୁ ଆଣିଛି ବୋଲି ଜେରା କରାଯିବା ପରେ ଜେଲ୍ରେ ଥିବା ଧଳସାମନ୍ତ ଭ୍ରାତାଙ୍କ ଲିଙ୍କ୍ ପଦାକୁ ଆସିଥିଲା । ସଂପୃକ୍ତ ଯୁବକଜଣକ କଟକ ସହରରେ ରହୁଥିବା ଧଳସାମନ୍ତ ଭ୍ରାତାଙ୍କ ଜଣେ ପ୍ରମୁଖ ସହଯୋଗୀଙ୍କଠାରୁ ଏହି ବନ୍ଧୁକ ଆଣିଥିବା ପୁଲିସ ନିକଟରେ ପ୍ରକାଶ କରିଥିଲା ।
ଏହି ସୂଚନାକୁ ଭିତ୍ତିକିରି ପୁଲିସର ଏକ ଦଳ ମର୍କତନଗରରେ ଚଢ଼ଉ କରି ଧଳସାମନ୍ତ ଭ୍ରାତାଙ୍କ ଉକ୍ତ ପ୍ରମୁଖ ସହଯୋଗୀକୁ ଧରିବାରେ ସଫଳ ହୋଇଥିଲା । ଘନ ଘନ ଜେରା କରିବା ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଥିଲା । ସହଯୋଗୀଜଣକ ଦୀର୍ଘବର୍ଷ ହେବ ଧଳସାମନ୍ତ ଭ୍ରାତାଙ୍କ ଘରେ ରହି କାର୍ଯ୍ୟ କରୁଛି । ବହୁ ସମୟରେ ଉକ୍ତ ଘରେ ବନ୍ଧୁକ କାରବାର ନେଇ ମୂଳଚାଲ ହୋଇଥାଏ । ଏବେ ବି ବହୁ ସଂଖ୍ୟକ ବନ୍ଧୁକ ଓ ଗୁଳି ଘରେ ମହଜୁଦ ଥିବା ସେ ପୁଲିସ ଆଗରେ ଓଗାଳି ଥିଲା । ଏହି ସୂଚନା ପାଇବା ପରେ ଡିସିପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ସନ୍ଧ୍ୟାରେ ଧଳସାମନ୍ତ ଭ୍ରାତାଙ୍କ ମର୍କତନଗରସ୍ଥିତ ବାସଭବନରେ ଅଚାନକ ଚଢ଼ଉ କରିଥିଲା । ଚଢ଼ଉର ପ୍ରାଥମିକ ପର୍ଯ୍ୟାୟରେ ପୁଲିସ ସେଠାରୁ ୭ଟି ବିଦେଶୀ ବନ୍ଧୁକ ଓ ୫୦୦ରୁ ଊର୍ଦ୍ଧ୍ବ ଗୁଳି ମିଳିଥିଲା । ବାସଭବନରେ ଆହୁରି ଅଧିକ ସଂଖ୍ୟକ ମାରଣାସ୍ତ୍ର ରହିଥିବା ସନ୍ଦେହକରି ପୁଲିସ ଚଢ଼ଉ ଅବ୍ୟାହତ ରଖିଛି ।
ପୁଲିସ ଘରର କେତେକ କାନ୍ଥ ଓ ଗାଧୁଆ ଘର ଚଟାଣ ତାଡ଼ି ବନ୍ଧୁକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଖୋଜୁଛି । ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ୨୦୧୬ରୁ ଜେଲରେ ରହିଥିବାବେଳେ ସହରରେ ସେମାନଙ୍କର ଆଧିପତ୍ୟ ଜାହିର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । କିଛିଦିନ ମଧ୍ୟରେ ପୁଲିସ ଦାଦାବଟି ଆଦାୟ ଘଟଣାରେ ଧଳସାମନ୍ତ ଭ୍ରାତାଙ୍କ ୭ରୁ ଊର୍ଦ୍ଧ୍ବ ପ୍ରମୁଖ ସହଯୋଗୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଅତ୍ୟାଧୁନିକ ବନ୍ଧୁକ ଓ ଗୁଳିକୁ ପୁଲିସ ଜବତ କରିଛି । ବନ୍ଧୁକ କାରବାର ରାକେଟ୍ରେ ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ହାତ ରହିଥିବା ନେଇ ଆଜି ଚଢ଼ଉରୁ ସ୍ପଷ୍ଟ ହୋଇଛି । ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାରର ଆନ୍ତଃରାଜ୍ୟ ବନ୍ଧୁକ ଯୋଗାଣକାରୀ ମାଫିଆମାନେ ବିଭିନ୍ନ ସମୟରେ ଧଳସାମନ୍ତ ଭ୍ରାତାଙ୍କୁ ବନ୍ଧୁକ ଯୋଗାଇ ଆସୁଛନ୍ତି । ଏବେ ମଧ୍ୟ ବହୁ ସହଯୋଗୀ ଏହି କାରବାରରେ ସଂପୃକ୍ତ ରହିଥିବା ପୁଲିସ ଜାଣିବାକୁ ପାଇଛି । ଇତିମଧ୍ୟରେ ପୁଲିସ ୫ ସହଯୋଗୀଙ୍କୁ ସ୍କାନରରେ ରଖିଥିବା ବେଳେ ସେମାନଙ୍କୁ ଖୁବ୍ଶୀଘ୍ର ଧରିବା ନେଇ ପ୍ରସ୍ତୁତ ଚଳାଇଛି ।