ରାଜ୍ୟ

କୁହୁଡ଼ି ଚାଦରରେ ଉପକୂଳ ଓଡ଼ିଶା

ସତ୍ୟଶିଖା (ଭୁବନେଶ୍ୱର) ୧୪.୧୨.୨୦୨୦ : କୁହୁଡ଼ି ଚାଦର ତଳେ ଘୋଡ଼େଇ ହୋଇ ରହିଛି ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶା । ରାତି ପ୍ରାୟ ୧୦ଟାରୁ ସକାଳ ୮ଟା  ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଜଗତସିଂହପୁର, ଖୋର୍ଧା, କେନ୍ଦ୍ରାପଡ଼ା, କଟକ, ନୟାଗଡ଼ ଓ କନ୍ଧମାଳ ଆଦି ଜିଲ୍ଲାକୁ ଆଚ୍ଛାଦିତ କରି ରଖୁଛି । ଉପକୂଳ ଓଡ଼ିଶା ମଧ୍ୟ ଏଭଳି କୁହୁଡ଼ି ଆସ୍ତରଣରେ ଥିଲା । ଜଗତସିଂହପୁର ପାରଦୀପଠାରେ ଅତି ଘନ କୁହୁଡ଼ି ଦେଖାଯାଇଥିଲା । ଏଠାରେ ଦୃଶ୍ୟମାନ ଦୂରତା ୩୦ ମିଟର ରହିଥିଲା । ଏଥିସହ ଭୁବନେଶ୍ୱରରେ ବି ଘନ କୁହୁଡ଼ି ପଡ଼ିଥିଲା । ଏଠାରେ ଦୃଶ୍ୟମାନ ଦୂରତା ୨୦୦ ମିଟର ରହିଥିଲା । ଚାନ୍ଦବାଲିରେ ହାଲୁକା କୁହୁଡ଼ି ପଡ଼ିଥିଲା ଓ ଏହାର ଦୃଶ୍ୟମାନ ଦୂରତା ୭୦୦ ମିଟର ରହିଥିଲା । ଏହାଛଡ଼ା ଫୁଲବାଣୀ, ନୟାଗଡ଼, କୋରାପୁଟ ଓ ମାଲକାନଗିରିରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦୦ ମିଟର ଥିଲା ।ଅନ୍ୟପଟେ ବଙ୍ଗୋପସାଗର ଉପରେ ରହିଥିବା ଗୁରୁଚାପ ବଳୟ ଫଳରେ ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଯିବ । ଆସନ୍ତାକାଲି ସକାଳ ସୁଦ୍ଧା ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଧା, ନୟାଗଡ଼,କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୫ ଓ ୧୬ ତାରିଖରେ ଏହି ସବୁ ଜିଲ୍ଲାରେ ହାଲୁକା କୁହୁଡ଼ିର ସମ୍ଭାବନା ରହୁଛି । ଏବେ ରାଜ୍ୟରେ ପାଗ ଶୁଖିଲା ରହିଛି । ଧୀରେଧୀରେ ରାତି ତାପମାତ୍ରା ବଢ଼ୁଛି । ଫଳରେ ରାଜ୍ୟରେ ଶୀତର ପ୍ରଭାବ ଏବେ କମ୍ ରହିଛି । ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ସୁନ୍ଦରଗଡ଼ଠାରେ ୧୨ ଡିଗ୍ରି ସେଲ୍ସିୟସ୍ ରେକର୍ଡ ହୋଇଛି ।ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ୧୬ ତାରିଖ ଦିନ ବଙ୍ଗୋପସାଗରୀୟ ଆର୍ଦ୍ର ପବନ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପ୍ରବାହିତ ଉତ୍ତରା ପବନ ସହ ମିଶ୍ରଣ ହେବା ଫଳରେ ସେଠାରେ ସ୍ବଳ୍ପ ବର୍ଷା ହେବ । ଏଥିସହ ଉତ୍ତର-ପଶ୍ଚିମ ଓଡ଼ିଶାରେ ସାମାନ୍ୟ ବର୍ଷା ହେବ ଓ ପାଗ କୋହଲା ରହିବ । ରାତି ତାପମାତ୍ରାରେ ଆଗାମୀ ୨/୩  ପର୍ଯ୍ୟନ୍ତ ବିଶେଷ ପରିବର୍ତନର ସମ୍ଭାବନା ନାହିଁ ।

Show More
Back to top button