ସତ୍ୟଶିଖା (କଟକ) ୧୯/୦୧/୨୦୨୧ : ଆସନ୍ତାକାଲି ଠାରୁ ସମସ୍ତ କ୍ୟାନ୍ସର ରୋଗୀଙ୍କ ପେଟ ସିଟି ସ୍କାନର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ମଙ୍ଗଳବାର ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ନେଇ ଏକ ସତ୍ୟପାଠ ଦାଖଲ କଲା ପରେ ଆସନ୍ତା ମାସ ୧ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଆଜି ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।
କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପିଟିସନକୁ ଗ୍ରହଣ କରି ଆଜି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ଏକମାତ୍ର କ୍ୟାନ୍ସର ହସ୍ପିଟାଲର ମାନ୍ୟତା ପାଇ ମଧ୍ୟ ଆଚାର୍ଯ୍ୟ ହରିହର କେନ୍ଦ୍ରରେ ପେଟ ସିଟି ସ୍କାନର ବ୍ୟବସ୍ଥା ନାହିଁ । ଅପରପକ୍ଷେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ କର୍କଟ ରୋଗୀ ଏହି ହସ୍ପିଟାଲର ଉପରେ ନିର୍ଭରଶୀଳ । ତେବେ ଘରୋଇ ଡାଇଗ୍ନୋଷ୍ଟିକ ସଂସ୍ଥା ମାନେ ପେଟ ସିଟି ସ୍କାନ୍ ଲାଗି ମୋଟା ଅଙ୍କର ଅର୍ଥ ଦାବି କରୁଥିବା ହେତୁ ଗରିବ ଶ୍ରେଣୀର ରୋଗୀଙ୍କ ଲାଗି ନାନା ପ୍ରକାର ସମସ୍ୟା ଉପୁଜିଛି । ସେହିଭଳି ସମସ୍ୟାରେ ପଡ଼ି ଜଣେ ମହିଳା କ୍ୟାନ୍ସର ରୋଗୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ , ତାଙ୍କ ଆବେଦନକୁ ଗ୍ରହଣ କରି ଆଜି କୋର୍ଟ ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି ।