ଆସନ୍ତାକାଲିଠୁ କ୍ୟାନ୍ସର ରୋଗୀଙ୍କ ସିଟି ସ୍କାନ ମାଗଣା

ସତ୍ୟଶିଖା (କଟକ) ୧୯/୦୧/୨୦୨୧ : ଆସନ୍ତାକାଲି ଠାରୁ ସମସ୍ତ କ୍ୟାନ୍ସର ରୋଗୀଙ୍କ ପେଟ ସିଟି ସ୍କାନର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ମଙ୍ଗଳବାର ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ନେଇ ଏକ ସତ୍ୟପାଠ ଦାଖଲ କଲା ପରେ ଆସନ୍ତା ମାସ ୧ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଆଜି ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ପିଟିସନକୁ ଗ୍ରହଣ କରି ଆଜି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ଏକମାତ୍ର କ୍ୟାନ୍ସର ହସ୍ପିଟାଲର ମାନ୍ୟତା ପାଇ ମଧ୍ୟ ଆଚାର୍ଯ୍ୟ ହରିହର କେନ୍ଦ୍ରରେ ପେଟ ସିଟି ସ୍କାନର ବ୍ୟବସ୍ଥା ନାହିଁ । ଅପରପକ୍ଷେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ କର୍କଟ ରୋଗୀ ଏହି ହସ୍ପିଟାଲର ଉପରେ ନିର୍ଭରଶୀଳ । ତେବେ ଘରୋଇ ଡାଇଗ୍ନୋଷ୍ଟିକ ସଂସ୍ଥା ମାନେ ପେଟ ସିଟି ସ୍କାନ୍ ଲାଗି ମୋଟା ଅଙ୍କର ଅର୍ଥ ଦାବି କରୁଥିବା ହେତୁ ଗରିବ ଶ୍ରେଣୀର ରୋଗୀଙ୍କ ଲାଗି ନାନା ପ୍ରକାର ସମସ୍ୟା ଉପୁଜିଛି । ସେହିଭଳି ସମସ୍ୟାରେ ପଡ଼ି ଜଣେ ମହିଳା କ୍ୟାନ୍ସର ରୋଗୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ , ତାଙ୍କ ଆବେଦନକୁ ଗ୍ରହଣ କରି ଆଜି କୋର୍ଟ ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି ।