

ସତ୍ୟଶିଖା (ପୁରୀ ) ୧୬.୧୨.୨୦୨୧: ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ପ୍ରଥମ ଦିନରେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୋଇଥିବା ଘଟଣାସ୍ଥଳରୁ ତଦନ୍ତ ଆରମ୍ଭ କରିଛନ୍ତ । ବ୍ରହ୍ମଗିରି ଗଡମୃଗସିରା ଅଞ୍ଚଳ ଭାର୍ଗବୀ ନଦୀର ନୂଆନଈ ଅଞ୍ଚଳକୁ ଯାଇ ଛାନଭିନ୍ କରିଛି ଟିମ୍ । ବୁଧବାର ରାତି ୧୦ଟା ୧୫ମିନିଟ୍ରେ କ୍ରାଇମବ୍ରାଞ୍ଚ ଟିମ୍ ପ୍ରଥମେ ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ଏସପିଙ୍କ ସହ ଆଲୋଚନା କରିଥିଲେ । କେଉଁ ପରିସ୍ଥିତିରେ ଚିତ୍ତରଞ୍ଜନଙ୍କ ହତ୍ୟା କରାଯାଇଛି ଏବଂ ପୋଲିସ କାହାକୁ ଅଟକ ରଖି ପଚରାଉଚରା କରୁଛି ସେନେଇ କ୍ରାଇମବ୍ରାଞ୍ଚ ଟିମ୍ ଏସପିଙ୍କ ସହ ଆଲୋଚନା କରିଥିଲେ । ତେବେ ପୋଲିସଠାରୁ ସମସ୍ତ ଦସ୍ତାବିଜ କ୍ରାଇମବ୍ରାଞ୍ଚ ଟିମ୍ ଗ୍ରହଣ କରିବା ପରେ ଗୁରୁବାର ପ୍ରଥମ ଦିନର ତଦନ୍ତ ଆରମ୍ଭ କରଛି କ୍ରାଇମବ୍ରାଞ୍ଚ ।