

ସତ୍ୟଶିଖା (ନୂଆଦିଲ୍ଲୀ) ୦୫/୦୧/୨୦୨୧ : ଭାରତର ରାଜଧାନୀ ଦିଲ୍ଲୀଠାରୁ ମେରଟକୁ ସଂଯୋଗ କରିବା ପାଇଁ ହେବାକୁ ଥିବା ମେଟ୍ରୋ ରେଲ୍ୱେ ଲାଇନ୍ ଟନେଲ୍ର ନିର୍ମାଣ ଦାୟିତ୍ୱ ଚୀନ୍ର ଏକ କମ୍ପାନୀକୁ ମିଳିଛି । ଏହି ପ୍ରୋଜେକ୍ଟରେ ୫.୬ କିଲୋମିଟର ଲମ୍ୱର ଏକ ଟନେଲ୍ ନିର୍ମାଣ କରାଯିବ । ଯାହାକି ଚୀନ୍ କମ୍ପାନୀ ନିର୍ମାଣ କରିବ ।
ସୂଚନା ମୁତାବକ, ଏହି ଟନେଲ୍ ନିର୍ମାଣ କରିବା ପାଇଁ National Capital Region Transport (N.C.R.T.C) ଚୀନର ଏକ ଇଞ୍ଜିନିୟରିଂ ଫାର୍ମ ସାଙ୍ଘାଇ ଟନେଲ୍ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍ସକୁ ଏହି ଦାୟିତ୍ୱ ଦେଇଛି । ଯାହାଫଳରେ ଏହି କମ୍ପାନୀ ନ୍ୟୁ ଅଶୋକ ନଗରଠାରୁ ସାହିବାବାଦ ପର୍ଯ୍ୟନ୍ତ ଅଣ୍ଡରଗ୍ରାଉଣ୍ଡ୍ ଟନେଲ୍ ନିର୍ମାଣ କରିବ । ଏହି ଟନେଲ୍ ନିର୍ମାଣ କରିବା ପାଇଁ ବିଭିନ୍ନ ଏଜେନ୍ସି ମାନଙ୍କଠାରୁ ବିଡ୍ ଆହ୍ୱାନ କରାଯାଇଥିଲା । ଏହି ବିଡ୍ ସମ୍ପୂର୍ଣ୍ଣ ଗାଇଡଲାଇନ୍ ଅନୁସାରେ ପ୍ରଦାନ କରାଯାଇଥିବା ଏନସିଆରଟିସି କହିଛି ।
୮୨ କିଲୋମିଟରର ଦିଲ୍ଲୀ-ଗାଜିଆବାଦ-ମେରଟକୁ ସଂଯୋଗ କରୁଥିବା ଏହି ରେଳ ଲାଇନର ନିର୍ମାଣ କାମ ଏବେ ଜୋରସୋରରେ ଚାଲିଛି । ଏହି ପ୍ରୋଜେକ୍ଟ ପାଇଁ ସମସ୍ତ ଟଙ୍କା ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ବା ଏଡିବି ଯୋଗାଇ ଦେଉଥିବା ଏନସିଆରଟିସି ପ୍ରକାଶ କରିଛି ।
ସୂଚନା ଥାଉକି ଏନସିଆରଟିସି ୨୦୧୯ ମସିହା ନଭେମ୍ୱର ୯ ତାରିଖରେ ଏହି ପ୍ରୋଜେକ୍ଟ ଲାଗି ବିଡ୍ ଆହ୍ୱାନ କରିଥିଲା । ଏଡିବି ବ୍ୟାଙ୍କର ଗାଇଡଲାଇନ୍ ଅନୁସାରେ ବିଭିନ୍ନ ଦେଶର ଏଜେନ୍ସିମାନେ ଏଥିରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୫ଟି କମ୍ପାନୀଙ୍କୁ ବଛାଯାଇଥିଲା । ସେଥିମଧ୍ୟରେ ଚୀନର ଏହି କମ୍ପାନୀ ରହିଥିଲା । ୨୦୨୦ ସେପ୍ଟେମ୍ୱରରେ ଏହି ଟ୍ରେନ୍ ଡିଜାଇନ୍ ପ୍ରସ୍ତୁତ ହୋଇଥିଲା । ଏହା ଦିଲ୍ଲୀର ଲୋଟସ୍ ଟେମ୍ପଲ୍ ଆଧାର କରି ପ୍ରସ୍ତୁତ କରାଯାଇଥିଲା । ତେବେ ଏହି ଟନେଲର କାମ ୨୦୨୩ ସୁଦ୍ଧା ସରିବାକୁ ଲାକ୍ଷ୍ୟ ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ପ୍ରୋଜେକ୍ଟର କାମ ୨୦୨୫ ସୁଦ୍ଧା ସାରିବାକୁ ଧାର୍ଯ୍ୟ କରାଯାଇଛି ।