ସଙ୍କଟ ଟଳିଲା, ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ନେଲେ ଉଦ୍ଧବ ଠାକରେ


ମୁମ୍ବାଇ: ଶେଷରେ ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ଆଜି ମଧ୍ୟାହ୍ନରେ ତାଙ୍କୁ ବିଧାନ ପରିଷର ସଭାପତି ରାମରାଜ ନିବାଲକର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଠାକରେ ପରିବାରର ଦ୍ୱିତୀୟ ସଦସ୍ୟ ଭାବେ ଉଦ୍ଧବ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହାପୂର୍ବରୁ ଆଦିତ୍ୟ ଠାକରେ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ଗୃହକୁ ନିର୍ବାଚିତ ହୋଇଥିଲେ।
ଆହୁରି ପଢ଼ନ୍ତୁ
ଉଦ୍ଧବଙ୍କ ସହ ଆଜି ଆଉ ୮ ସଦସ୍ୟ ବି ବିଧାନ ପରିଷଦକୁ ନିର୍ବାଚିତ ହୋଇଛନ୍ତି। ମହାରାଷ୍ଟ୍ର ବିଧାନ ପରିଷଦର ଖାଲି ପଡ଼ିଥିବା ୯ ଆସନ ପାଇଁ ଭୋଟ ହେବାର ଥିଲା। କିନ୍ତୁ ଉଦ୍ଧବ କିମ୍ବା ଅନ୍ୟ ୮ ସଦସ୍ୟଙ୍କ ବିରୋଧରେ କେହି ବି ପ୍ରାର୍ଥୀ ହୋଇ ନଥିଲେ। ଫଳରେ ଆଜି ସେ ଗୃହର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି।
ଉଦ୍ଧବ ନଭେମ୍ବର ୨୮ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ସେ ବିଧାନସଭାକୁ ନିର୍ବାଚିତ ହୋଇ ନଥିବାରୁ ତାଙ୍କ ପଦକୁ ନେଇ ଅସ୍ଥିରତା ସୃଷ୍ଟି ହୋଇଥିଲା।
ମେ’ ୨୮ ସୁଦ୍ଧା ତାଙ୍କୁ ବିଧାନସଭାକୁ ନିର୍ବାଚିତ ହେବାର ଥିଲା। ହେଲେ କରୋନା ବିପତ୍ତି ଯୋଗୁ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଶେଷରେ ସେ ଆଜି ବିଧାନ ପରିଷଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି।