ନ୍ୟୁଜ୍ବିଦେଶ

ମରୁଡ଼ି ଓ ଭୀଷଣ ତାତିରେ ସିଝୁଛି ଚୀନ୍, ବର୍ଷା ପାଇଁ ଚାଲିଛି ଘନଘନ ରାସାୟନିକ ରକେଟ୍ ମାଡ଼

ସତ୍ୟଶିଖା( ବେଜିଂ)୧୮.୦୮ . ୨୦୨୨: ଲଗାତର ଦୁଇମାସ ଧରି ଭୀଷଣ ତାତିରେ ସିଝୁଥିବା ଚୀନ୍ ଏବେ ମରୁଡ଼ି ସ୍ଥିତିର ସମ୍ମୁଖୀନ ହେଉଛି । ସବୁଠି ହାହାକାର ସ୍ଥିତି । ଯେଉଁଆଡ଼େ ଚାହିଁଲେ ମରୁଭୂମି ଭଳି ଦିଶୁଛି । ଏଭଳି ପରିସ୍ଥିତିରେ ବର୍ଷା ଗାଏବ ହୋଇଯାଇଛି । ଉଦ୍ଭିଦ ଓ ଜୀବଜଗତ ପାଣି ପାଇଁ ଆର୍ତ୍ତ ଚିତ୍କାର କରୁଛି । ପ୍ରତିକାର ପଦକ୍ଷେପ ସ୍ୱରୂପ ଚୀନ୍ ପ୍ରକୃତି ବିରୋଧରେ ଯାଇ ବର୍ଷା ଆଶାରେ ଆକାଶକୁ ଘନଘନ ରାସାୟନିକ ବୋଝେଇ ରକେଟ୍ ମାଡ଼ କରୁଛି । ବିଶେଷକରି ୟାଙ୍ଗ୍ଜେ ନଦୀ ଅବବାହିକାରେ ଥିବା ପ୍ରଦେଶଗୁଡ଼ିକ ଏବେ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । ସେମାନେ ବର୍ଷା ନିମନ୍ତେ ବାଦଲ ସୃଷ୍ଟି ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି । ହୁବେଇ ସାଙ୍ଗକୁ ଅନ୍ୟ କେତେକ ପ୍ରଦେଶ ରାସାୟନିକ ପଦାର୍ଥ ବୋଝେଇ ହୋଇଥିବା ରକେଟ୍ ମାଡ଼ କରୁଛନ୍ତି । ଫଳରେ ଆକାଶ ଧୂଆଁମୟ ହୋଇଉଠୁଛି । କିନ୍ତୁ ବର୍ଷାର ଦେଖା ନାହିଁ । ଆକାଶରେ ଧଳା ବାଦଲ ବି ଦେଖାଯାଉ ନ ଥିବାରୁ ଏହି ଉଦ୍ୟମ ଫେଲ୍ ମାରୁଛି । ତଥାପି ଏହି ଉଦ୍ୟମ ଜାରି ରହିଛି । ଏହି ଉପାୟ ଅବଲମ୍ବନ କରୁଥିବା ପ୍ରଦେଶ ସଂଖ୍ୟା ବଢ଼ିବାରେ ଲାଗିଛି । ଚୀନର କେତେକ ପ୍ରଦେଶରେ ତାପମାତ୍ରା ରେକର୍ଡ ଭାଙ୍ଗିଛି । ସିଚୁଆନ୍ ଓ ପଡ଼ୋଶୀ ପ୍ରଦେଶଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଯାଇଛି । ଏ ପରିସ୍ଥିତିରେ ସିଚୁଆନର ଲକ୍ଷ ଲକ୍ଷ ଲୋକ ବିଜୁଳି କାଟ୍ ଯୋଗୁ ଛଟପଟ ହେଉଛନ୍ତି । ଡାଝୋଉ ସହରରେ ୫୪ ଲକ୍ଷ ଲୋକ ଦିନକୁ ୩ ଘଣ୍ଟା ବିଜୁଳି କାଟର ସମ୍ମୁଖୀନ ହେଉଛନ୍ତି ।

Show More
Back to top button