ସତ୍ୟଶିଖା (ବେଜିଂ) ୦୨/୧୨/୨୦୨୦ : ଭୁଟାନ ଭୂଖଣ୍ଡରେ ଆଉ ଏକ ଗାଁ ପ୍ରତିଷ୍ଠା କରୁଛି ଚୀନ । କେବଳ ଗାଁ ପ୍ରତିଷ୍ଠା ନୁହେଁ; ସେଠାକାର ଭାରତୀୟ ସୀମା ସଂଲଗ୍ନ ଅଞ୍ଚଳରେ ଥିବା ଆମୋ ଚୁ ନଦୀ କୂଳରେ ଜୋର୍ଦାର ସଡ଼କ ତଥା ସେତୁ ନିର୍ମାଣ କାର୍ଯ୍ୟ ମଧ୍ୟ ଜାରି ରଖିଛି । ଭାରତ ଦ୍ବାରା ଅଙ୍କିତ ଲୋହିତ ରେଖାକୁ ଅତିକ୍ରମ କରି ଚୀନ ଏହି ନିର୍ମାଣ କାର୍ଯ୍ୟ ଚଳାଇଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି । ଚୀନ ସେନା ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ ଜାରି ରହିଛି। ୨୦୧୭ରେ ଭାରତ ସୀମାନ୍ତ ଭୁଟାନର ଡୋକଲାମଠାରେ ଚୀନ ବିସ୍ତୃତ ଅଞ୍ଚଳକୁ ମାର୍ଚ୍ଚ ମାସରୁ ଜୁନ ପର୍ଯ୍ୟନ୍ତ ଅକ୍ତିଆର କରି ରଖିଥିଲା । ଦୀର୍ଘ ୭୩ଦିନ ପରେ ଏହାକୁ ମୁକ୍ତ କରିଥିଲା । ଡୋକଲାମଠାରୁ ପ୍ରାୟ ୯ କିଲୋମିଟର ଦୂର ପାଙ୍ଗଡ଼ାଠାରେ ଚୀନ ଏକ ଗ୍ରାମ ପ୍ରତିଷ୍ଠା ସହ ଏହାକୁ ସାମାରିକ ଘାଟିରେ ପରିଣତ କରିଥିବାର ଖବର ଗତ ସପ୍ତାହରେ ମିଳିଥିଲା; କିନ୍ତୁ କୌଣସି କାରଣରୁ ଭୁଟାନ ଏହାକୁ ଖଣ୍ଡନ କରିଥିଲା । କେବଳ ସେତିକି ନୁହେଁ; ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସି ନିକଟସ୍ଥ ଅଞ୍ଚଳର ୨୪ଟି ସ୍ଥାନକୁ ଚୀନ ଏବେ ସାମରିକ ଘାଟିରେ ରୂପାନ୍ତରିତ କରିଥିବା ଉପଗ୍ରହ ସୂତ୍ରରୁ ଜଣାପଡ଼ିଥିଲା ।
ମହାକାଶ ଗବେଷଣା ସଂସ୍ଥା ‘ମକ୍ସର ଟେକ୍ନୋଲଜିସ୍’ ସୂତ୍ରରୁ ନଗଦ ମିଳିଥିବା ତଥ୍ୟ ଅନୁଯାୟୀ, ଭୁଟାନ ଅଞ୍ଚଳରେ ଚୀନ ନିର୍ବିଘ୍ନରେ ନିଜର ନିର୍ମାଣ କାର୍ଯ୍ୟ ଚଳାଇଛି । ଏହି ଅଞ୍ଚଳ ଭାରତର ସିଲିଗୁଡ଼ି କରିଡର ନିକଟ ‘ଚିକେନ୍ ନେକ୍’ସ୍ଥିତ ଜଙ୍ଗଲ ପରିବେଷ୍ଟିତ ସରସିଙ୍ଗ୍ମା ବା ୟାତୁଙ୍ଗ ଉପତ୍ୟକା ବୋଲି ସ୍ପଷ୍ଟ ହୋଇଛି । ଭୁଟାନର ଜାଣତ କିମ୍ବା ଅଜାଣତରେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି ତାହା କିନ୍ତୁ ସ୍ପଷ୍ଟ ହୋଇ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଡୋକଲାମ ନାଲା ବା ନଦୀଠାରୁ ଦକ୍ଷିଣକୁ ଏବଂ ଆମୋ ଚୁ ନଦୀଠାରୁ ପୂର୍ବ ଅଞ୍ଚକୁ ଚୀନ ସେନା ଅତିକ୍ରମ ନ କରିବା ପାଇଁ ଉଭୟ ଭାରତ ଓ ଚୀନ ମଧ୍ୟରେ ବୁଝାମଣା ହୋଇଥିଲେ ମଧ୍ୟ ଚୀନ ଏହାକୁ ଖାତିର ନ କରି ଏହି ରାସ୍ତା ଓ ଗାଁ ନିର୍ମାଣ ଚଳାଇଛି । ଆମୋ ଚୁ ନଦୀ ନିକଟରେ ଚୀନ ଯେଉଁ ସେତୁ ନିର୍ମାଣ କରିଛି ତାହା ନୂଆ ପ୍ରତିଷ୍ଠା ହୋଇଥିବା ପାଙ୍ଗଡ଼ା ଗ୍ରାମ ଫେଜ୍-୧ (୩୦ଟି ବାସଗୃହ)ଠାରୁ ଦକ୍ଷିଣକୁ ମାତ୍ର ୪୦୦ମିଟର ଦୂର ଏବଂ ଏହା ୬ମିଟର ପ୍ରସ୍ଥ ହୋଇଥିବାବେଳେ ଲମ୍ବ ହେଉଛି ୪୫ମିଟର ।