

ସତ୍ୟଶିଖା (ନୂଆଦିଲ୍ଲୀ) ୨୪/୧୧/୨୦୨୦ : ଚୀନ କେବଳ ଭାରତ ସୀମାନ୍ତ ଭୁଟାନର ଦୁଇ କିଲୋମିଟର ଆଭ୍ୟନ୍ତରରେ, ଡୋକଲାମ୍ଠାରୁ ପ୍ରାୟ ୯ କିଲୋମିଟର ଦୂର ପାଙ୍ଗଡ଼ାଠାରେ ଚୀନ ଏକ ଗ୍ରାମ ପ୍ରତିଷ୍ଠା କରି ନାହିଁ; ବରଂ ସୀମାନ୍ତ ନିକଟବର୍ତ୍ତୀ ଆଉ କିଛି ଅଞ୍ଚଳରେ ସାମରିକ ଘାଟି ପ୍ରତିଷ୍ଠା କରିଛି । ଏ ସମ୍ପର୍କରେ ଉପଗ୍ରହ ସୂତ୍ରରୁ ଯେଉଁ ଚିତ୍ର ହସ୍ତଗତ ହୋଇଛି ତାହା ଭାରତର ଚିନ୍ତା ବଢ଼ାଇଦେବା ଭଳି । ବାସ୍ତବ ନିୟନ୍ତ୍ରଣ ରେଖା ବା ଏଲଏସି ନିକଟସ୍ଥ ଯେଉଁ ଗ୍ରାମଗୁଡ଼ିକରେ ବର୍ଷକ ପୂର୍ବେ ସାଧାରଣ ନାଗରିକ ବସବାସ କରୁଥିଲେ ଚୀନ ଏବେ ସେଗୁଡ଼ିକୁ ସାମରିକ ଘାଟିରେ ରୂପାନ୍ତରିତ କରିଛି ଏବଂ ଭାରତକୁ ଏଠାରୁ ନିଶାଣ କରାଯାଇଥିବା ଉକ୍ତ ଚିତ୍ରରୁ ସ୍ପଷ୍ଟ ହୋଇଛି ।
ମହାକାଶ ଗବେଷଣା ସଂସ୍ଥା ମାକ୍ସାର ଟେକ୍ନୋଲଜି ପକ୍ଷରୁ ୭ ସେଟ୍ ବିଶିଷ୍ଟ ‘ହାଇ ରିଜୋଲୁସନ୍’ ଚିତ୍ରରୁ ସ୍ପଷ୍ଟ ଲକ୍ଷ୍ୟ କରାଯାଉଛି ଯେ ଭୁଟାନ ଓ ଚୀନ ସୀମାନ୍ତରେ ପ୍ରବହମାନ ତୋର୍ସା ନଦୀ ଅବବାହିକାରେ ଚୀନ ଉନ୍ନତମାନର ୪ଟିକିଆ ସଡ଼କ ନିର୍ମାଣ କରୁଛି । ଏହି ସଡ଼କ ଯୁଦ୍ଧ ପାଇଁ ଖୁବ୍ ଉପଯୋଗୀ । ଏହା ଦ୍ବାରା ଚୀନ ପାଇଁ ସମଗ୍ର ପଶ୍ଚିମ ସୀମାନ୍ତରେ ଭାରତ ବିରୋଧରେ ଯୁଦ୍ଧ ପ୍ରସ୍ତୁତି ସହଜ ହେବ । ଏହି ଅଞ୍ଚଳରେ ପ୍ରାୟ ୨୪ଟି ଗ୍ରାମକୁ ଘାଟିରେ ପରିବର୍ତ୍ତନ କରାଯାଇଛି ବା ସ୍ବତନ୍ତ୍ର ଗ୍ରାମ ପ୍ରତିଷ୍ଠା କରାଯାଇଛି । ଏଠାରେ ବହୁ ସଂଖ୍ୟକ ଟାୱାର, ବଙ୍କର ଓ ସାମରିକ ଗୋଦାମ ଘର ନିର୍ମାଣ ସହ ସୀମାନ୍ତକୁ ନୂଆ ସଡ଼କ ଓ ଗ୍ରାମ ସହ ସଂଯୁକ୍ତ କରିଛି । ଏଗୁଡ଼ିକ ଡୋକଲାମ ପାଖାପାଖି ରହିଛି । ଏହି ଗ୍ରାମଗୁଡ଼ିକୁ ଚୀନ ‘ସମନ୍ବିତ ଗ୍ରାମ’ ଆଖ୍ୟା ଦେଇଛି । ଭୁଟାନ ଓ ସିକିମ ସଂଲଗ୍ନ ଚୁମ୍ବି ଉପତ୍ୟକାରେ ୨୦୧୯ ଅଗଷ୍ଟରୁ ମାତ୍ର ବର୍ଷକ ମଧ୍ୟରେ ୧୨ଟି ଶିବିରାକୃତି ଘର ନିର୍ମାଣ କରିଥିବାବେଳେ ଏବେ ସୁଉଚ୍ଚ ନିର୍ମାଣ ଚଳାଉଛି । ଚୀନ ସୈନଙ୍କ ଅବସ୍ଥିତିର ଦକ୍ଷିଣାଞ୍ଚଳ ଗ୍ୟାନ୍ସ୍ତେଠାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ଅଞ୍ଚଳରେ ଚୀନର ସାମରିକ ଯାନ ଘନଘନ ଯାତ୍ରା କରୁଥିବା ଦେଖାଯାଉଛି । ଏତଦ୍ ବ୍ୟତୀତ ପୂର୍ବ ସୀମାନ୍ତରେ ସିକିମ, ଅରୁଣାଚଳ ପ୍ରଦେଶ ତଥା ତିବ୍ବତ ସୀମାନ୍ତରେ ମଧ୍ୟ ଚୀନ ସାମରିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଚଳାଇଛି । ଭୁଟାନର ଡୋକଲାମ ନିକଟ ପାଙ୍ଗଡ଼ାଠାରେ ଚୀନ ପକ୍ଷରୁ ଏକ ଗାଁ ପ୍ରତିଷ୍ଠା ସ୍ପଷ୍ଟ ହୋଇଥିଲେ ମଧ୍ୟ ଭୁଟାନ ଏହାକୁ ଅସ୍ବୀକାର କରୁଥିବା ଖବର ଦୁଇ ଦିନ ପୂର୍ବେ ପ୍ରକାଶ ପାଇଥିଲା ।