

ସତ୍ୟଶିଖା(ଭୁବନେଶ୍ୱର) ୩୦.୧୨.୨୦୨୧: ଜାନୁଆରୀ ପହିଲାରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଦିଆଯିବ ଟିକା । ଏଥିପାଇଁ ରାଜ୍ୟରେ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯିବ । ଦିନତମାମ ଟିକାକରଣ ଚାଲିବ । ଏହାସହ ଯେଉଁ ଟିକା କେନ୍ଦ୍ରଗୁଡିକ ପୂର୍ବରୁ ଅଛି ସେଠାରେ ପୂର୍ବାହ୍ନ ସକାଳ ୮ରୁ ଦିନ ୧ ଟା ପର୍ଯ୍ୟନ୍ତ ପିଲାମାନଙ୍କୁ କେବଳ ଟିକା ଦିଆଯିବ । ଅପରାହ୍ନ ସମୟରେ ଅନ୍ୟମାନଙ୍କୁ ଟିକା ଦିଆଯିବ । ୨୦୦୭ କିମ୍ବା ତା ପୂର୍ବରୁ ଯେଉଁ ପିଲା ଜନ୍ମ ହୋଇଛନ୍ତି, ସେମାନେ ଟିକା ନେବାପାଇଁ ଆଧାର କାର୍ଡ ନଥିଲେ, ସ୍କୁଲ ପରିଚୟପତ୍ର ଦେଖାଇ ମଧ୍ୟ ଟିକା ପାଇଁ ପଞ୍ଜୀକରଣ କରିପାରିବେ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
୩୪ ଲକ୍ଷ ଲୋକ ଏବେ ପ୍ରଥମ ଡୋଜ ନେବା ପାଇଁ ବାକି ଥିବାବେଳେ ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେବା ପାଇଁ ବାକି ଅଛନ୍ତି। ଏନେଇ ସ୍କୁଲରେ ସ୍ୱତନ୍ତ୍ର ଟିକା କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ । ଅନ୍ୟପଟେ ବୁଷ୍ଟର ଡୋଜ ନେବା ପାଇଁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୌଣସି ଡାକ୍ତରୀ ସାର୍ଟିଫିକେଟ ଦରକାର ନାହିଁ । ସେମାନେ କେବଳ ଡାକ୍ତରଙ୍କ ପରାମର୍ଶ ନେଇ ଟିକା ନେଇପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ପାଣିଗ୍ରାହୀ କହିଛନ୍ତି ।