ଆଜି କନ୍ଧମାଳ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସତ୍ୟଶିଖା ( ଭୁବନେଶ୍ୱର )୨୨ /୧୧ /୨୦୨୧: ଆଜି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନର ଶୁଭାରମ୍ଭ କରିବେ । ଜିଲ୍ଲାର ପ୍ରାୟ ୧ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ଏହି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ । ଏହା ସହ ପ୍ରାୟ ୩ ଶହ କୋଟି ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ପଂଚାୟତିରାଜ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ୧୩ ପ୍ଲାଟୁନ୍ ଫୋର୍ସ ସହ ଅଫିସର, ଏସ୍ଓଜି, ଡିଭିଏଫ୍, ସିଆରପିଏଫ୍ ଯବାନ ମୁତୟନ ହୋଇଛନ୍ତି ।

ରାଜ୍ୟବାସୀଙ୍କୁ ବିନା ମୂଲ୍ୟରେ ସ୍ମାର୍ଟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ୨୦ରେ ମାଲକାନଗିରିରୁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହାପରେ ସୁନ୍ଦରଗଡ, ବଲାଙ୍ଗୀର, ଗଜପତି, ପୁରୀ, ଦେବଗଡ, ମୟୂରଭଞ୍ଜ, ସମ୍ବଲପୁର, କଳାହାଣ୍ଡି ଓ ନୂଆପଡା, ବରଗଡ, ଝାରସୁଗୁଡା, କେନ୍ଦୁଝର ଯୋଡି ହୋଇଛି । ଆଜି ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ଯୋଡିହେବ କନ୍ଧମାଳ । ଆଜିକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୧ଲକ୍ଷ ୫୮ ହଜାର ଲୋକ ଏହି ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହେଲେଣି ।

Exit mobile version