

ସତ୍ୟଶିଖା( ଭୁବନେଶ୍ୱର )୨୮.୦୯ . ୨୦୨୨: ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଶିଳ୍ପପତି ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଜି ଆଲୋଚନା କରିବେ । ଏହି ଅବସରରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତି ମାନଙ୍କୁ ନବୀନ ନିମନ୍ତ୍ରଣ ଦେବେ ବୋଲି ଜଣାପଡ଼ିଛି । ତାହା ସହ ଆଜି ସଂଧ୍ୟାରେ ହେବାକୁ ଥିବା ଶିଳ୍ପପତି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ ।
ସୂଚନା ଥାଉ କି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଙ୍ଗାଲୁରୁରେ ପହଞ୍ଚିଥିଲେ । ପ୍ରଥମ ଦିନରେ ବିଶିଷ୍ଟ ପୁଞ୍ଜିପତି ତଥା ୱିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ ପ୍ରେମଜୀ ଏବଂ ଅନ୍ୟ ଶିଳ୍ପପତିଙ୍କୁ ସାକ୍ଷାତ କରି ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିଛନ୍ତି । ଫିକ୍କି ଓ ଓଡ଼ିଶା ସରକାରଙ୍କ ସହଭାଗିତାରେ ଆଜି ବେଙ୍ଗାଲୁରୁର ହୋଟେଲ ତାଜ ୱେଷ୍ଟଏଣ୍ଡଠାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଆୟୋଜିତ ହେବ। ପରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ୟ୍ୟକ୍ରମରେ ୫୦୦ରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଏବଂ ନିବେଶ କ୍ଷେତ୍ର ସହିତ ଜଡ଼ିତ ବ୍ୟକ୍ତିବିଶେଷ ଯୋଗ ଦେବେ। ଏହି କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମ୍ବୋଧିତ କରିବା ସହିତ ରାଜ୍ୟର ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନକ୍ଲେଭ’୨୨ରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିବେ।
ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ତଥା ଏମଏସଏମଇ ମନ୍ତ୍ରୀ ପ୍ରତାପକେଶରୀ ଦେବ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସଚିବ ମନୋଜ ମିଶ୍ର ଏବଂ ଷ୍ଟାର୍ଟଅପ ଓଡ଼ିଶା କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଓଁକାର ରାୟ ପ୍ରମୁଖ ଅଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ଏରୋସ୍ପେଶ, ପ୍ରତିରକ୍ଷା, ସ୍ବାସ୍ଥ୍ୟସେବା ପରି କ୍ଷେତ୍ରରେ ଓଡ଼ିଶାରେ ଥିବା ସମ୍ଭାବନା ନେଇ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପ୍ରତିନିଧି ମଣ୍ଡଳୀ ପୁଞ୍ଜିପତିଙ୍କ ସହିତ ଆଲୋଚନା କରିଥିଲେ। ଏପରିକି ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତର ଲୋକଙ୍କ ମଧ୍ୟରେ ନୂଆ ଉତ୍ପାଦ ଏବଂ ସେବା ପାଇଁ ଥିବା ଚାହିଦା ପୂରଣ ଦିଗରେ ବ୍ୟାପକ ପୁଞ୍ଜିନିବେଶର ସୁଯୋଗ ନେବାକୁ ପୁଞ୍ଜିପତିଙ୍କୁ ଆହ୍ବାନ ଦେଇଥିଲେ। ଏଥିପାଇଁ ଆବଶ୍ୟକ ସମସ୍ତ ସହଯୋଗ ରାଜ୍ୟ ସରକାର ଯୋଗାଇ ଦେବାର ଆଶ୍ବାସନା ଦେଇଥିଲେ।






