ସତ୍ୟଶିଖା : ୧୧/୦୪/୨୦୨୫: ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ଆଜି ଘରୋଇ ଗ୍ରାଉଣ୍ଡ୍ରେ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସକୁ ଭେଟିବାକୁ ଯାଉଛି । ଏହି ମ୍ୟାଚ୍ ଜରିଆରେ କ୍ୟାପ୍ଟେନ କୁଲ୍ ମହେନ୍ଦ୍ର ସିଂହ ଧୋନୀ ପୁନର୍ବାର ସୁପରକିଙ୍ଗ୍ସ ଦଳର ନେତୃତ୍ୱ ନେବେ । ୫ଟିରୁ ୪ଟି ମ୍ୟାଚ ହାରି ସାରିଥିବା ସୁପରକିଙ୍ଗ୍ସ ଚିପକ୍ରେ ପୂର୍ବ ଲୟ ଫେରିପାଇବାକୁ ଆଶା ବାନ୍ଧିଛି । ନାଇଟ୍ ରାଇଡର୍ସ ମଧ୍ୟ ପୁଣିଥରେ ବିଜୟ ଧାରାକୁ ଫେରିବା ପାଇଁ ବ୍ୟାକୁଳ । ଫଳରେ ମ୍ୟାଚ୍ଟି ସଂଘର୍ଷପୂର୍ଣ୍ଣ ହେବ । ଉଭୟ ଦଳ ଫର୍ମ ଫେରିପାଇବାକୁ ସଂଘର୍ଷ କରୁଛନ୍ତି । ମାତ୍ର ପୂର୍ବ ରେକର୍ଡକୁ ଦେଖିଲେ ସୁପରକିଙ୍ଗ୍ସର ପଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ୩୦ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ସୁପରକିଙ୍ଗ୍ସ ୧୯ଟି ଓ ନାଇଟ୍ ରାଇଡର୍ସ ୧୦ଟି ମ୍ୟାଚ୍ ଜିତିଛନ୍ତି । ଗତ ବର୍ଷ ନାଇଟ ରାଇଡର୍ସ ଚାମ୍ପିଅନ୍ ହୋଇଥିଲେ ହେଁ ସୁପରକିଙ୍ଗ୍ସ ଠାରୁ ପରାଜିତ ହୋଇଥିଲା ।
ଋତୁରାଜ ଗାଏକୱାଡ୍ ବାଦ ପଡ଼ିଥିବାରୁ ସୁପରକିଙ୍ଗ୍ସ ବ୍ୟାଟିଂ ବିଭାଗର ଚିନ୍ତା ବଢ଼ିବା ସ୍ୱାଭାବିକ । ସେମିତି ଦେଖିବାକୁ ଗଲେ ଦଳର କୌଣସି ବ୍ୟାଟର ଫର୍ମରେ ନାହାନ୍ତି । ଦଳରେ ରିଜର୍ଭ ବ୍ୟାଟରଙ୍କ ସଂଖ୍ୟା ମଧ୍ୟ ନଗଣ୍ୟ । କେବଳ ଅଭିଜ୍ଞ ବ୍ୟାଟର ଭାବେ ଦୀପକ ହୁଡ଼ା ଦଳରେ ରହିଛନ୍ତି । ସେ ଆସନ୍ତାକାଲି ଏକାଦଶରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ନାଇଟ୍ ରାଇଡର୍ସର ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଛି । ତଥାପି ଏକ ସନ୍ତୁଳିତ ଦଳ ପ୍ରସ୍ତୁତ ହୋଇ ସାରିଛି । କେବଳ ଛୋଟ ମୋଟ ତ୍ରୁଟି ଯୋଗୁଁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ମଙ୍ଗଳବାର ଅନୁଷ୍ଠିତ ଲକ୍ଷେ୍ନø ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍ରେ ଆନ୍ଦ୍ରେ ରସେଲ ଓ ରିଙ୍କୁ ସିଂହଙ୍କୁ ରଖି ଅଙ୍ଗକ୍ରିଶ ରଘୁବଂଶୀଙ୍କୁ ଆଗୁଆ ବ୍ୟାଟିଂ ପଠାଯିବା ମହଙ୍ଗା ପଡ଼ିଥିଲା । ଦଳ ମାତ୍ର ୪ ରନ୍ରେ ପରାଜିତ ହୋଇଥିଲା । ଚିପକ୍ର ମନ୍ଥର ପିଚ୍ ସ୍ପିନରଙ୍କୁ ସହାୟତା କରୁଛି । ନାଇଟ ରାଇଡର୍ସ ନିକଟରେ ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରାଏନଙ୍କ ଭଳି ଦକ୍ଷ ସ୍ପିନର ରହିଛନ୍ତି । ତେଣୁ ସୁପରକିଙ୍ଗ୍ସକୁ ଏଥିପ୍ରତି ସତର୍କ ରହିବାକୁ ହେବ ।
ସୁପରକିଙ୍ଗ୍ସ ଦଳରେ ୪ଜଣ ବାମ ହାତି ବ୍ୟାଟର ରହିଥିବାରୁ ନାରାଏନ ଓ ବରୁଣଙ୍କ ବୋଲିଂ ନାଇଟ ରାଇଡର୍ସ ପାଇଁ ସହାୟକ ହେବ । ସୁପରକିଙ୍ଗ୍ସ ଦଳର ୩ଜଣ ପୂର୍ବତନ ଖେଳାଳି ବର୍ତ୍ତମାନ ନାଇଟ ରାଇଡର୍ସ ଶିବିରରେ ରହିଛନ୍ତି । ସେମାନେ ହେଲେ ଅଜିଙ୍କ୍ୟ ରାହାଣେ, ମୋଇନ ଅଲି ଓ ଡ୍ୱେନ ବ୍ରାଭୋ । ରାହାଣେ ନାଇଟ୍ ରାଇଡର୍ସ ଅଧିନାୟକ ଥିବାବେଳେ ବ୍ରାଭୋ ମୁଖ୍ୟ କୋଚ ଭାବେ କାର୍ଯ୍ୟ କରୁଛନ୍ତି । ଚିପକ୍ ପିଚ୍ ଓ ଗ୍ରାଉଣ୍ଡ ସହ ସେମାନେ ବେଶ୍ ପରିଚିତ । ଚିପକ ପିଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଏଠାରେ ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ କରିବା ସତ୍ତେ୍ୱ ସୁପରକିଙ୍ଗ୍ସ ୨ଟି ମ୍ୟାଚ୍ ହାରି ସାରିଲାଣି । ପିଚ୍ ସମୟ କ୍ରମେ ମନ୍ଥର ହେଉଥିବାରୁ ଟସ୍ ସେଭଳି ଗୁରୁତ୍ୱ ବହନ କରିବ ନାହିଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।