ସତ୍ୟଶିଖା (ନୂଆଦିଲ୍ଲୀ) ୧୧/୧୧/୨୦୨୦ : ନେଟ୍ଫ୍ଲିକ୍ସ କିମ୍ବା ଆମାଜନ ପରି ଓଟିଟି(ଓଭର ଦ ଟପ୍) ଷ୍ଟ୍ରିମିଂ ପ୍ଲାଟ୍ଫର୍ମରେ ଆପଣଙ୍କର ଅନୁଭବ ଆଉ ପୂର୍ବ ପରି ରହିବ ନାହିଁ । ଏହି ପ୍ଲାଟଫର୍ମରେ ଆଗ ଭଳି ଆଉ ମନ ଇଚ୍ଛା ପ୍ରସାରଣ ହୋଇ ପାରିବ ନାହିଁ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଓଟିଟି ପ୍ଲାଟଫର୍ମରେ ପ୍ରସାରଣ ହେଉଥିବା ଡିଜିଟାଲ ଅଡିଓ ଭିଜୁଆଲ କଣ୍ଟେଟ୍ ଓ ଓ୍ଵେବ୍ ସୋକୁ ନିଜ ଅଧିନକୁ ଆଣିଛନ୍ତି । ଏଥିସହ ଅନଲାଇନ୍ ପ୍ଲାଟଫର୍ମର ନ୍ୟୁଜ୍ ଓ କରେଣ୍ଟ ଅଫାୟାର୍ସ ମଧ୍ୟ ସରକାରଙ୍କ ପରିଧିକୁ ଚାଲି ଯାଇଛି । ସରକାର ବୁଧବାର ଏହି ସଂପର୍କିତ ଗେଜେଟ୍ ଜାରି କରି ଏହାର ସୂଚନା ଦେଇଛନ୍ତି ।
ଏହି ସବୁ ଓଟିଟି ପ୍ଲାଟଫର୍ମ ଚଳିତ ମାସ ଆରମ୍ଭରେ I.A.M.A.I ଆଧାରରେ ପ୍ରସ୍ତୁତ ସେଲ୍ଫ ରେଗୁଲେସନ ଉପରେ ହସ୍ତାକ୍ଷର କରିଥିଲେ । ସେନସରସିପ୍ କିମ୍ବା ସରକାରୀ ଦଖଲ ପରିବର୍ତ୍ତେ ଓଟିଟି କମ୍ପାନୀ ସରକାରଙ୍କ କହିବାନୁଯାୟୀ ଏକ ଫ୍ରେମଓ୍ଵାର୍କ କରିଥିଲେ । ସଠିକ୍ କଣ୍ଟେଟ୍ ଦର୍ଶକଙ୍କ ପାଖକୁ ପହଞ୍ଚାଇବା ଲାଗି ଏଥିରେ ନିଷ୍ପତ୍ତି ହୋଇଥିଲା । ଏହି କୋଡ୍ରେ ଦର୍ଶକଙ୍କ ଅଭିଯୋଗର ସମାଧାନ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଏଥିପାଇଁ ଗ୍ରାହକ ଅଭିଯୋଗ ପ୍ରକୋଷ୍ଟ କିମ୍ବା ପରାମର୍ଶଦାତା କମିଟି ଗଠନ କରିବାକୁ କୁହାଯାଇଥିଲା । ଏହି କମିଟିରେ ସଦସ୍ୟ ଭାବେ ପିଲାଙ୍କ ଅଧିକାର, ସମାନତା ଅଧିକାର ପାଇଁ କାମ କରୁଥିବା ସ୍ଵାଧୀନ ସଂସ୍ଥାର ଲୋକଙ୍କୁ ସାମିଲ କରାଯାଇପାରେ । ଏଥିରେ ଯେଉଁ ଓଟିଟି ପ୍ଲାଟଫର୍ମ ସାମିଲ, ସେଥିରେ ନେଟ୍ଫ୍ଲିକ୍ସ, ଆମାଜନ ପ୍ରାଇମ୍ ଭିଡିଓ, ଡିଜନି ପ୍ଲସ୍ ହଟ୍ଷ୍ଟାର, ଏଏଲଟି ବାଲାଜୀ, ଜି୫, ଅରେ, ଡିସକଭରୀ ପ୍ଲସ୍, ଇରୋଜ ନାଓ, ଫ୍ଲିକଷ୍ଟ୍ରି, ହୋଇଚୋଇ, ହଙ୍ଗାମା, ଏମଏକ୍ସ ପ୍ଲେୟାର, ସେମାରୁ, ଭୁଟ୍, ଜିଓ ସିନେମା, ସୋନିଲାଇଭ ଓ Lions gate play ସାମିଲ ।