ଜୀବନମନ୍ତ୍ରଶିକ୍ଷା

ନୂଆ ଉପାୟରେ ଚାଲିଛି ଠକାମି

ସତ୍ୟଶିଖା ୧୬/୦୨/୧୦୨୧ : ପାଠ ଦି ଅକ୍ଷର ପଢ଼ିଲେ, ଭବିଷ୍ୟତରେ ସେଇ ବିଦ୍ୟା କାମରେ ଆସେ । ହେଲେ ଠକଙ୍କୁ ଏକଥା ଯେତେ ବୁଝାଇଲେ ମଧ୍ୟ କିଛି ଲାଭ ମିଳେନାହିଁ । ତାଲାବନ୍ଦ କୋହଳ ପରେ ବିଶ୍ୱର ପ୍ରତ୍ୟେକ ପ୍ରାନ୍ତରେ ଜୀବନଯାତ୍ରା କ୍ରମଶଃ ସ୍ୱାଭାବିକ ହେଉଛି, ବିଦ୍ୟାଳୟ, ମହାବିଦ୍ୟାଳୟମାନ ପର୍ଯ୍ୟାୟକ୍ରମେ ଖୋଲୁଛି । ସିଡ୍‌ନୀର କୌଣସି ଏକ ବିଦ୍ୟାଳୟର ପରୀକ୍ଷା ହଲ୍‌ର ଘଟଣାଟି ବିଭିନ୍ନ ସୋସିଆଲ୍‌ ସାଇଟ୍‌ରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି, ଏବେ ପରୀକ୍ଷାରେ ଠକିବା ପାଇଁ ସେମାନେ ନୂଆନୂଆ ଉପାୟମାନ ଆପଣାଉଛନ୍ତି । ନଖ ଉପରେ ନେଲ୍‌ପେଣ୍ଟ କରି ଗଣିତର ସୂତ୍ର ଲେଖିବାର ଉପାୟ ଏଇ ଠକାମି ବୁଦ୍ଧିରୁ ଗୋଟିଏ, ପରୀକ୍ଷକ ପ୍ରଥମେ ଭାବିଲେ ୭ମ ଶ୍ରେଣୀର ଝିଅଟି ନୂଆ ଉପାୟରେ ନେଲ୍ ପେଣ୍ଟ କରିଛି । ହେଲେ କିଛି ସମୟ ନିରୀକ୍ଷଣ କରିବା ପରେ ସେ ପରୀକ୍ଷା ଦେଉଥିବା ସେଇ ଝିଅଟିର ଚାଲାକି ବୁଝି ତୁରନ୍ତ ପଦକ୍ଷେପ ଗ୍ରହଣ କଲେ । ବିଦ୍ୟାଳୟର ନାମ କିମ୍ବା ପରୀକ୍ଷାର୍ଥୀଙ୍କ ଫଟୋ କିମ୍ବା ନାମ ସୋସିଆଲ୍‌ ସାଇଟ୍‌ରେ ଦେଖିବାକୁ ମିଳୁନି, କିନ୍ତୁ ସେମାନେ କରିଥିବା ଏଭଳି ସବୁ କାଣ୍ଡ କାରଖାନାର ଫଟୋ ଉଠାଯାଇ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରାଯାଉଛି । ୫-୬ଜଣ ଛାତ୍ର ସମାନ ଉପାୟରେ ପରୀକ୍ଷାରେ ଠକୁଥିବାର ପରୀକ୍ଷକ ଜାଣିପାରିଥିଲେ । ପାଣିବୋତଲ ନେବାକୁ ଅବା ପରୀକ୍ଷା ହଲ୍‌ରେ କାହିଁ ମନା କରାଯିବ, ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଖାଦ୍ୟର ବ୍ୟବସ୍ଥା ଥାଉ କି ନଥାଉ, କିନ୍ତୁ ପାଣି ପିଇବାର ବନ୍ଦୋବସ୍ତ ନିଶ୍ଚିତ ଥାଏ । ଛାତ୍ରମାନେ ପାଣି ବୋତଲରେ ଲାଗୁଥିବା ଷ୍ଟିକର୍‌ର ଭିତର ପାଖେ ଗଣିତର ସୂତ୍ର, ବିଜ୍ଞାନର ଉତ୍ତର ଆଦି ଲେଖି ନିୟମିତ ଯାଉଥିଲେ । ଶେଷରେ ଇଂରାଜୀ ପରୀକ୍ଷା ଦିନ ପରୀକ୍ଷକ ସେମାନଙ୍କର ଏହି ଠକାମି ଧରିଥିଲେ, ଜଣେ ଛାତ୍ର ତ’ ଏଇ ଠକିବାରେ ବେଶ୍ ବୁଦ୍ଧିମାନର ପରିଚୟ ଦେଇଥିଲା । ବୋତଲରେ ଲାଗିଥିବା ଷ୍ଟିକର୍‌ ପରି ଅନ୍ୟ ଏକ ଧଳା ଷ୍ଟିକର୍‌ରେ ସୂତ୍ରମାନ ଲେଖି ପରୀକ୍ଷାକେନ୍ଦ୍ରକୁ ଆଣିଥିଲା, ଜଣେ ବିଜ୍ଞାନ ଶିକ୍ଷକ ହିଁ ଛାତ୍ରର ଏଭଳି ବଦ୍‌ମାସିକୁ ଧରିଥିଲେ । ସୋସିଆଲ୍‌ ସାଇଟ୍‌ରେ ଏହି ଘଟଣାକୁ ପ୍ରଚାର କରାଇଥିବା ଶିକ୍ଷକଙ୍କ ମତ ହେଲା, ନିଜ ବୁଦ୍ଧିର ପ୍ରୟୋଗ ପାଠ ପଢ଼ିବାରେ କରିବା ଉଚିତ, ଠକାମିରେ ନୁହେଁ ।

Show More
Back to top button